fbpx

ଇଂଲଣ୍ଡ ଗସ୍ତ ପାଇଁ ମୁମ୍ବାଇ ଅଭିମୁଖେ ଭାରତୀୟ କ୍ରିକେଟ୍ ଖେଳାଳି, କିଏ ସଡକ ପଥରେ ତ କିଏ ବିମାନରେ

ନୂଆଦିଲ୍ଲୀ ୨୧ ।୦୫: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ସଦସ୍ୟଙ୍କ ଇଂଲଣ୍ଡ ଗସ୍ତ ପାଇଁ ମୁମ୍ବାଇ ପହଂଚିବା ଆରମ୍ଭ ହୋଇ ଯାଇଛି । ଭାରତୀୟ ଦଳ ଜୁନ ୨ରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିପାରେ । ଏହା ପୂର୍ବରୁ ସମସ୍ତ ଖେଳାଳି ବିସିଆଇ ଦ୍ୱାରା ପ୍ରସ୍ତୁତ ଜୈବ ନିରାପତା ବଳୟରେ ରହିବେ ।

ଭାରତୀୟ ଦଳକୁ ମୁମ୍ବାଇ ବ୍ୟତୀତ ଇଂଲଣ୍ଡରେ ପହଂଚିବା ପରେ ୧୦ ଦିନ ପୃଥକବାସରେ ରହିବାକୁ ପଡିବ । ବିସିସିଆଇର ଚାର୍ଟର୍ଡ ବିମାନ ଚେନ୍ନାଇ, ହାଇଦ୍ରାବାଦ ଓ ଦିଲ୍ଲୀରୁ ଖେଳାଳି ନେଇ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି । କିଏ ସଡକ ପଥରେ ମୁମ୍ବାଇ ପହଂଚୁଛନ୍ତି ତ କିଏ ବିମାନରେ ।

ଭାରତୀୟ ପୁରୁଷ ଦଳ ଜୁନ ୧୮ରୁ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ପାଇଁ ସାଉଥମ୍ପଟନ ଯାତ୍ରା କରିବ । ସେପଟେ ମହିଳା ଦଳ ଜୁନ ୧୬ରୁ ଇଂଲଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟ ପାଇଁ ବ୍ରିଷ୍ଟଲ ଯାତ୍ରା କରିବ । ଋଷଭ ପନ୍ତ ଓ ଶୁବମାନ ଗିଲ୍ ମୁମ୍ବାଇ ପହଂଚି ସାରିଛନ୍ତି । ଅନ୍ୟପଟେ ମହିଳା କ୍ରିକେଟ୍ ଦଳ ସାତ ବର୍ଷ ପରେ ଇଂଲଣ୍ଡ ଟେଷ୍ଟ ଖେଳିବାକୁ ଯାଉଛି ।

ସୂଚନାଯୋଗ୍ୟ, ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଖେଳାଳି ଚାର୍ଟର୍ଡ ବିମାନ ଜରିଆରେ ମୁମ୍ବାଇ ପହଞ୍ଚିବେ। ଏହି ଚାର୍ଟର୍ଡ  ବିମାନ ହାଇଦ୍ରାବାଦ, ଚେନ୍ନାଇ ଓ ଦିଲ୍ଲୀରୁ ମୁମ୍ଵାଇ ଅଭିମୁଖେ ଉଡାଣ ଭରିଛି। ହାଇଦ୍ରାବାଦରୁ ମହମ୍ମଦ ସିରାଜ ମୁମ୍ବାଇ ପହଞ୍ଚିବେ। ଅନ୍ୟପଟେ ହନୁମା ବିହାରୀ ପୂର୍ବରୁ ଇଂଲଣ୍ଡରେ କାଉଣ୍ଟି ଖେଳୁଛନ୍ତି।

ଚେନ୍ନାଇରୁ ଚାର୍ଟର୍ଡ  ବିମାନରେ କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ଆର ଅଶ୍ଵିନ ଓ ଓ୍ଵାଶିଂଟନ ସୁନ୍ଦର ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଦିଲ୍ଲୀରୁ ଋଷଭ ପନ୍ତ, ଶୁବମାନ ଗିଲ୍, ଉମେଶ ଯାଦବ, ଅବେଶ ଖାନ, ଅଭିମନ୍ୟୁ ଈଶ୍ଵରନ ଓ ଇଶାନ୍ତ ଶର୍ମା ମୁମ୍ବାଇ ପହଂଚିଛନ୍ତି। ଚେତେଶ୍ଵର ପୂଜାରା, ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡେଜା ଓ ଅରଜନ ନଗଓ୍ଵସଓ୍ଵାଲ ଗୁଜରାଟରୁ ସଡକ ପଥରେ ମୁମ୍ଵାଇ ପହଞ୍ଚିବେ।

Get real time updates directly on you device, subscribe now.