fbpx

EURO କପ୍ ୨୦୨୪ ଫାଇନାଲରେ ସ୍ପେନ-ଇଂଲଣ୍ଡ: ଦ୍ୱିତୀୟ ସେମିରେ ହାରିଲା ନେଦରଲାଣ୍ଡସ୍

ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ୟୁରୋପୀୟ ଫୁଟବଲ ଆସୋସିଏସନ ୟୁନିୟନ (ଉଫା) ୟୁରୋ କପ୍ ୨୦୨୪ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ବାଜିମାତ୍ କରିଛି । ପୂର୍ବରୁ ପ୍ରଥମ ସେମିଫାଇନାଲରେ ଫ୍ରାନ୍ସକୁ ୨-୧ ଗୋଲରେ ପରାସ୍ତ କରି ସ୍ପେନ ଫାଇନାଲରେ ପହଞ୍ଚିଥିବା ବେଳେ ଏବେ ଦ୍ୱିତୀୟ ସେମିରେ ନେଦରଲାଣ୍ଡସକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଏବେ ସ୍ପେନ୍ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ହେବ । ତେଣୁ ଚଳିତ ବର୍ଷର ୟୁରୋ କପ୍ ବିଜେତା କିଏ ହେବ ସେନେଇ ଏବେଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏହି ବିଜୟ ଫଳରେ ଇଂଲଣ୍ଡ କ୍ରମାଗତ ଦ୍ୱିତୀୟ ଥର ପାଇଁ ୟୁରୋ କପ୍ ଫାଇନାଲରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ଏହି ମ୍ୟାଚରେ ହାରିବା ପରେ ସ୍ପେନର ୟୁରୋ ଚାମ୍ପିୟନ ସ୍ୱପ୍ନ ଚୁରମାର୍ ହୋଇଯାଇଛି । ଆସନ୍ତା ୧୪ ତାରିଖରେ ସ୍ପେନ ଓ ଇଂଲଣ୍ଡ ଟାଇଟଲ ପାଇଁ ମୈଦାନରେ ଅବତୀର୍ଣ୍ଣ ହେବେ । ମ୍ୟାଚ ଆରମ୍ଭରୁ ବେଶ୍ ସଂଘର୍ଷପୂର୍ଣ୍ଣ ଦେଖିବାକୁ ମିଳିଥିଲା । ୭ମ ମିନିଟରେ ଇଂଲଣ୍ଡର ଡିଫେଣ୍ଡର ଡେକଲାନ ରାଇସଙ୍କ ଠାରୁ ନେଦରଲାଣ୍ଡସର ଜାଭି ସିମନ୍ସ ଚତୁରତାର ସହ ବଲ ଛଡ଼ାଇ ନେଇ ଡିଫେନ୍ସ ଲାଇନ ବାହାରୁ ଗୋଲ ସ୍କୋର କରିଥିଲେ ।

୧-୦ ଗୋଲରେ ପଛରେ ରହିବା ପରେ ଇଂଲଣ୍ଡ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଦେଇଥିଲା । ୧୮ତମ ମିନିଟରେ ହ୍ୟାରୀ କେନ୍ ଏକ ଫାଉଲ ମାରିଥିବା ବେଳେ ଇଂଲଣ୍ଡକୁ ଏକ ପେନାଲ୍ଟି ମିଳିଯାଇଥିଲା । ଫଳରେ କେନ୍ କୌଣସି ତ୍ରୁଟି ନକରି ତାହାକୁ ଗୋଲରେ ପରିଣତ କରିଥିଲେ । ଫଳରେ ମ୍ୟାଚର ସ୍ଥିତି ୧-୧କୁ ଚାଲିଆସିଥିଲା । ଏହାପରେ ୩୫ତମ ମିନିଟରେ ନେଦରଲାଣ୍ଡସର ମୁଖ୍ୟ ଖେଳାଳି ମେମଫିସ ଡେପାଏ ଆହତ ହେବା ପରେ ଦଳର ପ୍ରଦର୍ଶନ ଦୁର୍ବଳ ହୋଇଯାଇଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ପାଇଁ ଏକାଧିକ ସୁଯୋଗ ସୃଷ୍ଟି ହୋଇଥିଲା ମାତ୍ର ଗୋଲ ହୋଇପାରିନଥିଲା । କେନଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଆସିଥିବା ଓଲି ୱାଟକିନ୍ସ ୯୦ତମ ମିନିଟରେ ଏକ ଗୋଲ କରି ଇଂଲଣ୍ଡକୁ ୨-୧ରେ ବିଜୟୀ କରାଇ ଫାଇନାଲରେ ପହଞ୍ଚାଇଥିଲେ ।

Get real time updates directly on you device, subscribe now.