fbpx

ICAR ରିସର୍ଚ୍ଚ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ: ଚାଉଳ ଓ ଗହମରେ ଜରୁରୀ ପୋଷକତତ୍ତ୍ୱ ୪୫ ପ୍ରତିଶତ ହ୍ରାସ ପାଇଛି, ବଢ଼ୁଛି ବିଷାକ୍ତ ତତ୍ତ୍ୱର ପରିମାଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେମାନେ ଦୈନନ୍ଦିନ ଜୀବନରେ ଖାଉଥିବା ଭାତ ଓ ରୁଟିରେ ଜରୁରୀ ପୋଷକ ତତ୍ତ୍ୱ ରହିଥିବାରୁ ତାହାକୁ ଖାଇଲେ ଆମର ସବୁ ପ୍ରକାରର ଖାଦ୍ୟ ଆବଶ୍ୟକତା ପୂରଣ ହୋଇଥାଏ । ତେବେ ଏହା ମଧ୍ୟରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ପକ୍ଷରୁ ପ୍ରକାଶ ପାଇଥିବା ରିସର୍ଚ୍ଚ ରିପୋର୍ଟରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଧାନ ଓ ଚାଉଳରେ ଜରୁରୀ ଉପାଦାନ ପାଖାପାଖି ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା କୁହାଯାଇଛି ।

ରିପୋର୍ଟ ମୁତାବକ, ଗତ ୫ ବର୍ଷ ମଧ୍ୟରେ ଚାଉଳ ଓ ଗହମରେ ପୋଷକ ତତ୍ତ୍ୱ ଉଦବେଗଜନକ ଭାବେ ହ୍ରାସ ପାଇଛି । ତେବେ ଭାରତରେ ପାରମ୍ପରିକ ଶସ୍ୟ ସ୍ଥାନରେ ଅଧିକ ଅମଳକ୍ଷମ ଶସ୍ୟ ଚାଷ କରିବା ଏଥିପାଇଁ ଦାୟୀ ବୋଲି କୁହାଯାଉଛି । ଭାତରେ ଜିଙ୍କ ୩୩ ପ୍ରତିଶତ ଓ ଆଇରନ ୨୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ଗହମରରେ ଏହି ଦୁଇ ଉପାଦାନ ଯଥାକ୍ରମେ ୩୦ ଓ ୧୯ ପ୍ରତିଶତ ହ୍ରାସ ପାଇଛି । ଏଥିସହିତ ଚାଉଳରେ କ୍ୟାଲସିୟମର ମାତ୍ରା ୪୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ଗହମରେ ୩୦ ପ୍ରତିଶତ ହ୍ରାସ ପାଇଛି । ଉଭୟ ଶସ୍ୟରେ ଷ୍ଟ୍ରୋଣ୍ଢିୟମ, ଆଲୁମିନିୟମ ଓ ବାରିୟମର ପରିମାଣ ବୃଦ୍ଧି ପାଇଛି । ଏହି ବୃଦ୍ଧିକୁ ନେଇ ଗବେଷକମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

ତେବେ ପ୍ରମୁଖ ଖାଦ୍ୟଶସ୍ୟମାନଙ୍କରୁ କ୍ରମାଗତ ଭାବେ ପୋଷକ ତତ୍ତ୍ୱ ହ୍ରାସ ପାଉଥିବା ବେଳେ ଅନାବଶ୍ୟକ ତତ୍ତ୍ୱ ବୃଦ୍ଧି ପାଇବା ଫଳରେ ତାହା ମଣିଷ ଶରୀର ଉପରେ କୁପ୍ରଭାବ ପକାଉଛି । ଏହାଫଳରେ ଅଣସଂକ୍ରାମକ ରୋଗ ବଢ଼ିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ସେହିପରି ଶସ୍ୟ କିସମରେ ଜେନେଟିକ୍ ପରିବର୍ତ୍ତନ କରିବା ଫଳରେ ଶସ୍ୟର ପ୍ରାକୃତିକ କ୍ଷମତା ହ୍ରାସ ପାଉଛି । ଏପରିକି ମାଟିରେ ଜରୁରୀ ପୋଷକ ତତ୍ତ୍ୱ ରହିଥିଲେ ବି ବର୍ତ୍ତମାନର ଫସଲ ସେଗୁଡ଼ିକୁ ଟାଣିବାରେ ଅସମର୍ଥ ହେଉଥିବା କୃଷି ବିଜ୍ଞାନୀମାନେ ମତ ଦେଇଛନ୍ତି ।

ଗତ ୫୦ ବର୍ଷ ଧରି ଦେଶରେ ଅଧିକ ଅମଳକ୍ଷମ କିସମ ଚାଷକୁ ଗୁରୁତ୍ୱ ଦିଆଯାଇ ଆସୁଥିବା ବେଳେ ସେଥିପାଇଁ ଫସଲର ଜିନରେ ବ୍ୟାପକ ପରିବର୍ତ୍ତନ କରାଯାଉଛି ଓ ବିଷାକ୍ତ ରାସାୟନିକ ସାରର ବ୍ୟବହାର ଅଧିକ କରାଯାଉଛି । ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ପ୍ରତିକୂଳ ପରିସ୍ଥିତି, ରୋଗ ପୋକ ସହ ଲଢ଼ିପାରୁଥିବା କିସମ ଉଦ୍ଭାବନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଫଳରେ ଗତ କିଛି ଦଶନ୍ଧି ମଧ୍ୟରେ ପ୍ରମୁଖ ଶସ୍ୟ ମାଟିରୁ ଖାଦ୍ୟ ତତ୍ତ୍ୱ ସଂଗ୍ରହ କରିବା କ୍ଷମତା ହରାଇଥିଲା । ତେଣୁ ଏନେଇ ସରକାର, କୃଷି ବିଜ୍ଞାନୀ ଓ କୃଷକମାନେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ଓୟୁଏଟିର ଜଣେ ମୃତ୍ତିକା ବୈଜ୍ଞାନିକ ମତ ଦେଇଛନ୍ତି ।

Get real time updates directly on you device, subscribe now.