fbpx

୧୭ ବର୍ଷ ପରେ ବି କମିନାହିଁ କ୍ରେଜ୍, ରାକ୍ଷୀ ପୁନେଇଁ ଆସିଲେ ସବୁଠି ଶୁଭେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’

ଓଡିଶା ଭାସ୍କର; ରାକ୍ଷୀ ପୂର୍ଣ୍ଣମୀ ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନରେ ଭଉଣୀ, ତା’ର ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ପ୍ରତିବର୍ଷ ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଏହି ପର୍ବ ଅବସରରେ ବିଭିନ୍ନ ଭାଇ-ଭଉଣୀ ସମ୍ପର୍କକୁ ନେଇ ସିନେମା ପ୍ରସ୍ତୁତ କରାଯାଇଥାଏ । ରାକ୍ଷୀ ବନ୍ଧାକୁ ନେଇ ସିନେମାରେ ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

୨୦୦୬ରେ ମୁକ୍ତିଲାଭ କରିଥିଲା ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓଡ଼ିଆ ସିନେମା । ଏହି ସିନେମାକୁ ପ୍ରଯୋଜନା କରିଥିଲେ ରତିକାନ୍ତ କାନୁନ୍‌ଗୋ ଏବଂ ପ୍ରମୋଦ କୁମାର ସ୍ୱାଇଁ । ସେହିପରି ଏହି ସିନେମାର କାହାଣୀ ସୁଚିସ୍ମିତା କାନୁନ୍‌ଗୋ ରଚନା କରିଥିଲେ । ଏଥିରେ ଚିତ୍ରନାଟ୍ୟ,ସଂଳାପ ରଚନା ଏବଂ ନିର୍ଦ୍ଦେଶନା ସଞ୍ଜୟ ନାୟକ ଦେଇଥିଲେ ।

ଏହି ସିନେମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱର୍ଗତ ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ । ଏହା ସହ ଅସିତ ପତି, ଉତ୍ତମ ମହାନ୍ତି, ମୀନକେତନ, ସ୍ନିଗ୍ଧା ମହାନ୍ତି, ବୀଣା ମହାରଣା, ଦିପ୍ତି ପଣ୍ଡା, ଅଶୋକ, ଜୟୀରାମ ସାମଲ ଆଦି କଳାକାରମାନେ ଏହି ସିନେମାର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅନ୍ୟପଟେ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ଶ୍ରୀକାନ୍ତ ଗୌତମ ଏଥିରେ ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ସୁବାସ ଦାସ, ଅଭୟ ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ପ୍ରିତିନନ୍ଦା ରାଉତରାୟ, ଅରବିନ୍ଦ ଷଡ଼ଙ୍ଗୀ, ଶୈଳଭାମା ମହାପାତ୍ର, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି ସିନେମାରେ କଣ୍ଠଦାନ କରିଥିଲେ । ଏହି ସିନେମାରେ ମୁଖ୍ୟ ଅଭିନେତା ମିହିର ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଖଣ୍ଡିଆ ହାତ ଶେଷ ଯାଏଁ ତାଙ୍କ ଭଉଣୀ (ଅନୁ ଚୌଧୁରୀ)ଙ୍କୁ ସୁରକ୍ଷା ଦେଇଆସୁଥିବା ଦେଖିବାକୁ ମିଳିଥିଲା ।

ଏହି ସିନେମାକୁ ଆଜି ଦୀର୍ଘ ୧୭ ବର୍ଷ ବିତିଗଲାଣି । ସିନେମାର ମୁଖ୍ୟ ଅଭିନେତା ତଥା ଓଡ଼ିଆ ସିନେ ଜଗତର ଗଡ଼ ଫାଦର ସ୍ୱର୍ଗତ ମିହିର ଦାସଙ୍କର ଦେହାନ୍ତ ମଧ୍ୟ ହୋଇସାରିଛି । ହେଲେ ଦୀର୍ଘ ୧୭ ବର୍ଷ ପରେ ବି ଆଜି ଏହି ସିନେମା ସେମିତି କ୍ରେଜରେ ରହିଛି । ମିହିର ଦାସ ଆଜି ଅଫେରା ରାଇଜକୁ ଚାଲିଯାଇଛନ୍ତି ସତ କିନ୍ତୁ ତାଙ୍କର ଏହି ଅଭିନୟ ଆଜି ବି ଦର୍ଶକଙ୍କ ମନରେ ଜୀବିତ ରହିଛି ।ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଆସିଲେ ମନେ ପଡନ୍ତି ମିହିର ଦାସ ଓ ମନେ ପଡେ ତାଙ୍କର ଏହି ସିନେମାର ଗୀତ । ରାକ୍ଷୀ ପୁନେଇଁ ଅବସରରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ସିନେମାର ‘ଭାଇ ତତେ ମୋର ରହିଲା ରାଣ’ ଗୀତ ଆଜି ସମସ୍ତଙ୍କ ସୋସିଆଲ ମିଡ଼ିଆ ଓ ଷ୍ଟୋରି ଷ୍ଟାଟସରେ ଦେଖିବାକୁ ମିଳୁଛି ।

ସେହିପରି ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ ସିନେମାର ସ୍ୱର୍ଗତ ବିଜୟ ମହାନ୍ତିଙ୍କ ଅଭିନୀତ ‘ସୁନା ରୂପା ଗଉଣି କ୍ଷୀର ସର ଲହୁଣୀ’, ସମୟ ହାତରେ ଡୋରି ସିନେମାର ‘ମୋ ହାତରେ ବାନ୍ଧିଦେଲୁ ରାକ୍ଷୀ’ ଗୀତ ଭଳି ଅନେକ ଓଡ଼ିଆ ସିନେମାର ଗୀତ ବର୍ଷ ବର୍ଷ ପରେ ବି ସେମିତି ହିଟ ହୋଇରହିଛି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏହାର ଝଲକ ଆଜି ପୁଣି ଥରେ ଦେଖିବାକୁ ମିଳିଛି ।

 

 

Get real time updates directly on you device, subscribe now.