fbpx

ପରଲୋକରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଦୁଃଖ ଖବର । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଦକ୍ଷିଣ କୋଲକତା ସ୍ଥିତ ତାଙ୍କ ବାସଭବନରେ ବୁଦ୍ଧଦେବ ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ବୁଦ୍ଧଦେବଙ୍କର ବିୟୋଗ ରାଜନୈତିକ କ୍ଷେତ୍ର ପ୍ରତି ଏକ ଅପୂରଣୀୟ କ୍ଷତି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜନୀତି ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

ନିଃଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଟ୍ଟାଚାର୍ଯ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ସମୟ ଧରି ବୀମାରଗସ୍ତ ରହିଥିଲେ । ଆଜି ସକାଳ ୮.୩୦ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ କ୍ରୋନିକ ଅବଷ୍ଟ୍ରକ୍ଟିଭ ପ୍ଲମୋନରୀ ଡିଜିଜ (ସିଓପିଡି) ଓ ବୟସାଧିକ ସହ ଜଡ଼ିତ ଅନ୍ୟ ବୀମାରେ ପୀଡ଼ିତ ଥିଲେ । କୋଲକତା ସ୍ଥିତ ନିଜ ଘରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କର ପରିବାରରେ ପତ୍ନୀ ଓ କନ୍ୟା ରହିଛନ୍ତି । ଖରାପ ସ୍ୱାସ୍ଥ୍ୟ କାରଣରୁ ଗତ କିଛିବର୍ଷ ଧରି ବୁଦ୍ଧଦେବ ସାର୍ବଜନିକ ଜୀବନରୁ ଦୂରେଇ ରହିଥିଲେ ।
ସେ ୨୦୧୫ରେ ସିପିଆଇ (ଏମ)ର ପଲିଟି ବ୍ୟୁରୋ ଓ କେନ୍ଦ୍ରୀୟ କମିଟିରୁ ଇସ୍ତଫା ଦେଇଥିଲେ । ଏଥିସହିତ ୨୦୧୮ରେ ସେ ରାଜ୍ୟ ସଚିବାଳୟର ସଦସ୍ୟତା ପଦ ମଧ୍ୟ ଛାଡ଼ିଥିଲେ । ୨୦୦ରୁ ୨୦୧୧ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ସେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ)ର ପଲିଟି ବ୍ୟୁରୋର ସଦସ୍ୟ ମଧ୍ୟ ରହିଥିଲେ । ୧୯୪୪ ମସିହା ମାର୍ଚ୍ଚ ପହିଲାରେ ସେ କୋଳକତାରେ ଜନ୍ମ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.