fbpx

ବିଜେପିରେ ସାମିଲେ ହେଲେ ପୂର୍ବତନ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ରରେ କ୍ଷମତାସୀନା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ସଜବାଜ ହେଉଛନ୍ତି । ଏହା ମଧ୍ୟରେ ଇଣ୍ଡିଆ କିଛି ବୈଠକ ଆୟୋଜନ କରିବା ସହିତ ଚଳିତ ମାସ ପହିଲାରେ ୧୩ ଜଣ ନେତାଙ୍କୁ ସମନ୍ୱୟ କମିଟିରେ ନିଯୁକ୍ତି ଦେଇଥିଲା । ସେହିପରି ବିଜେପି ମଧ୍ୟ ବିଭିନ୍ନ ରାଜ୍ୟରେ ତା’ର ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ଦେଇଛି ।

ତେବେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେଥିମଧ୍ୟରୁ ରାଜସ୍ଥାନ ଉପରେ ଏବେ ସମସ୍ତଙ୍କର ନଜର ରହିଛି । ରାଜସ୍ଥାନରେ ଏବେ କଂଗ୍ରେସ ସରକାର ଚାଲିଥିବା ବେଳେ ବିଜେପି ଏଥର ରାଜ୍ୟରେ ପଦ୍ମ ଫୁଟାଇବାକୁ କଳବଳ ଖଟାଇବା ଆରମ୍ଭ କରିଦେଇଛି । ତେବେ ନିର୍ବାଚନ ପୂର୍ବରୁ ନେତାଙ୍କର ଦଳ ପରିବର୍ତ୍ତନ ଏକ ସାଧାରଣ କଥା ।

ଏହା ମଧ୍ୟରେ କଂଗ୍ରେସର ଜଣେ ପୂର୍ବତନ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ୨୦୦୯ ମସିହାରେ ନାଗୌର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଜ୍ୟୋତି ମିର୍ଦ୍ଧା ବିଜେପିରେ ସାମିଲ ହୋଇଛନ୍ତି । ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ଜ୍ୟୋତି ପରାସ୍ତ ହୋଇଥିଲେ । ଜାଟ ସମ୍ପ୍ରଦାୟର ଜଣେ ବଡ଼ ନେତ୍ରୀ ଭାବେ ଖ୍ୟାତି ଅର୍ଜନ କରିଥିବା ଜ୍ୟୋତି ହାତ ଛାଡ଼ିବା ଦଳକୁ ଲାଗିଛି ଏକ ବଡ଼ ଝଟକା । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ସ୍ୱର୍ଗତ ନାଥୁରାମ ମିର୍ଦ୍ଧାଙ୍କ ନାତୁଣୀ ହେଉଛନ୍ତି ଜ୍ୟୋତି । ଜ୍ୟୋତିଙ୍କୁ ରାଜ୍ୟ ବିଜେପି ସଭାପତି ସିପି ଯୋଶୀ ସ୍ୱାଗତ କରିଛନ୍ତି । ଲୋକସଭା ନିର୍ବାଚନରେ ଜ୍ୟୋତି ବିଜେପି ଟିକେଟରୁ ଲଢ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.