ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ୍: ଦୀର୍ଘ ୧୮ ମାସ ପରେ ଜେଲରୁ ବାହାରିବେ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ) ନେତା ସତ୍ୟେନ୍ଦ୍ର ଜେନ÷ଙ୍କୁ ମିଳିଛି ଜାମିନ । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ରଙ୍କୁ ଦିଲ୍ଲୀର ଏକ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ସର୍ତ୍ତ ରଖି କୋର୍ଟ ସତ୍ୟେନ୍ଦ୍ରଙ୍କୁ ଜାମିନ ଦେଇଛନ୍ତି ଓ ସେ ଦେଶ ବାହାରକୁ ଯାଇ ପାରିବେ ନାହିଁ ବୋଲି କହିଛନ୍ତି । କୋର୍ଟଙ୍କ ପକ୍ଷରୁ ଏହି ଆଶ୍ୱସ୍ତି ମିଳିବା ପରେ ଦୀର୍ଘ ୧୮ ମାସ ପରେ ସତ୍ୟେନ୍ଦ୍ର ଜେଲରୁ ବାହାରକୁ ଆସିବେ । ସତ୍ୟେନ୍ଦ୍ରଙ୍କୁ ଜାମିନ୍ ମିଳିବା ଆପ୍ ପାଇଁ ଏକ ବଡ଼ ଖୁସିର ଖବର । ଏହାକୁ ନେଇ ଦଳୀୟ କର୍ମୀଙ୍କ ମହଲରେ ଖୁସିର ମାହୋଲ ଖେଳିଯାଇଛି ।

ସତ୍ୟେନ୍ଦ୍ର ପାଖାପାଖି ୧୮ ମାସ ପର୍ଯ୍ୟନ୍ତ ଜେଲରେ ସଜ୍ଜା କାଟିଥିବା କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସତ୍ୟେନ୍ଦ୍ରଙ୍କ ଜାମିନ ମଞ୍ଜୁରକୁ ବିରୋଧ କରିଥିଲା । ମାତ୍ର ସତ୍ୟେନ୍ଦ୍ରଙ୍କ ସପକ୍ଷରେ କୋର୍ଟ ରାୟ ଶୁଣାଇଥିଲେ । ସତ୍ୟେନ୍ଦ୍ରଙ୍କ ଜାମିନ ଆବେଦନକୁ ମଞ୍ଜୁର କରାଯାଇଛି ଓ ତାଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଭରିବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ । ୨୦୨୨ ମସିହା ମେ ମାସ ୩୦ ତାରିଖରେ ମନି ଲଣ୍ଡରିଂ ଅଭିଯୋଗରେ ସତ୍ୟେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ୨୦୧୭ରେ ସିବିଆଇ ପକ୍ଷରୁ ଏଫଆଇଆର ଦାୟର କରାଯାଇଥିଲା । ୨୦୧୫ ମସିହା ଫେବୃଆରୀ ଓ ୨୦୧୭ ମସିହା ମେ ମାସ ମଧ୍ୟରେ ବେଆଇନ୍ ଭାବେ ଅର୍ଥ ଠୁଳ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଏହା ପୂର୍ବରୁ ବିମାରୀ କାରଣ ଦର୍ଶାଇ ସତ୍ୟେନ୍ଦ୍ରଙ୍କ ପରିବାର ଜାମିନ ପାଇଁ ଆବେଦନ କରିଥିଲେ । ମାତ୍ର କୋର୍ଟ ତାଙ୍କର ଯାଚିକାକୁ ଖାରଜ କରିଦେଇଥିଲେ ।

Get real time updates directly on you device, subscribe now.