fbpx

ବିଜେପିରେ ସାମିଲ ହେବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିକଟରେ ବିଭିନ୍ନ ଦଳର କିଛି ନେତା ଅନ୍ୟ ଦଳରେ ସାମିଲ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେପିରେ ଯୋଗ ଦେବେ । ଆସନ୍ତା ୪ ତାରିଖରେ ସେ ପଦ୍ମ ଧରିବେ ବୋଲି ରାଜୁ ସୂଚନା ଦେଇଛନ୍ତି । ଗତ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ଧାମନଗର ଉପନିର୍ବାଚନ ସମୟରେ ରାଜୁ ଚର୍ଚ୍ଚାରେ ରହିଥିଲେ । ଉକ୍ତ ନିର୍ବାଚନରେ ରାଜୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ପ୍ରଥମ ଥର ପାଇଁ ଜଣେ ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ବିଜେଡି ଉକ୍ତ ଉପନିର୍ବାଚନରେ ପରାଜୟ ବରଣ କରିଥିଲା ।

ଧାମନଗର ଉପନିର୍ବାଚନରେ ରାଜ୍ୟ ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ୮୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ରାଜୁ ୮ ହଜାରରୁ ଅଧିକ ଭୋଟ ପାଇ ବିଜେଡି ପାଇଁ କାଳ ସାଜିଥିଲେ । ପରବର୍ତ୍ତୀ ସମୟରେ ରାଜୁଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଅରବିନ୍ଦ ଢାଲି ଆଜି ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ସେ ଆସନ୍ତା କାଲି ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି । ସେହିପରି ଏହା ପୂର୍ବରୁ ଗତ ମାସ ୨୯ ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଦ୍ମ ଧରିଥିଲେ ।

Get real time updates directly on you device, subscribe now.