fbpx

ପୁରୁଣା ଫିଲ୍ମ୍ କ୍ଲିପ୍ ବ୍ୟବହାର କରି ଅଶ୍ଳୀଳ ଭାଷାରେ ତିଆରି ହେଉଛି ବ୍ୟଙ୍ଗ ଭିଡିଓ; ଚୁପ୍ ବସିଛି ପ୍ରଶାସନ

ଦିବଂଗତ-ବରିଷ୍ଠ ଅଭିନେତାଙ୍କ ପରେ ପରେ ରାଜନେତାଙ୍କୁ ବି ଛାଡ଼ୁନାହାନ୍ତି ରୋଷ୍ଟର୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦିନକୁ ଦିନ ବଢିବାରେ ଲାଗିଛି ସାଇବର ସମ୍ପର୍କିତ ଅପରାଧ । ଅର୍ଥ ରୋଜଗାର ନାଁରେ ସବୁ ସୀମା ଟପିଲେଣି ଭିଡିଓ କଣ୍ଟେଟ୍ କ୍ରିଏଟର୍ । ପ୍ରଥମେ ଦିବଂଗତ-ବରିଷ୍ଠ ଅଭିନେତାଙ୍କର ବିଭିନ୍ନ ଚଳଚ୍ଚିତ୍ରର ଭିଡିଓକୁ ବ୍ୟବହାର କରି କଦର୍ଯ୍ୟ ଭାଷା ବ୍ୟବହାର କରି କଣ୍ଟେଟ୍ କରୁଥିଲେ । ସେତିକିରେ ସେମାନଙ୍କ ମନ ବୁଝିଲାନି ପରେ ସେଭଳି ଭିଡିଓକୁ ବ୍ୟବହାର କରି ଅଶ୍ଳୀଳ ଭାଷା ଯୋଡ଼ି ଭିଡ଼ିଓ କରୁଛନ୍ତି । ସୋସିଆଲ ମିଡିଆ ଖୋଲିଲେ ଖାଲି ଏଭଳି ଭିଡିଓ ଦେଖିବାକୁ ମିଳୁଛି । ଯାହାକୁ ଦେଖୁଛନ୍ତି ସବୁ ବର୍ଗର ଲୋକ, ବରିଷ୍ଠଙ୍କ କଥା ଛାଡ଼ନ୍ତୁ ବାଦ ପଡ଼ୁନାହାନ୍ତି ଛୋଟ ପିଲା । ସମସ୍ତେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଏଠି ପ୍ରଶ୍ନ ଉଠୁଛି ଏଭଳି ଭିଡ଼ିଓ ବନାଇବାକୁ ସେମାନଙ୍କୁ କିଏ ଅନୁମତି ଦେଲା ? କାହା ସାହସରେ ସେମାନେ ଏଭଳି ଅଶ୍ଳୀଳ ଭାଷା ବ୍ୟବହାର କରୁଛନ୍ତି ?

ହାନି ହେଉଛି ଦିବଂଗତ-ବରିଷ୍ଠ ଅଭିନେତା ଓ ରାଜନେତାଙ୍କ ସମ୍ମାନ

ଏଇ ପାଞ୍ଚ ବର୍ଷ ଭିତରେ ଓଡ଼ିଶା ହରାଇଛି ଅନେକ କ୍ଷାତିସମ୍ପର୍ଣ୍ଣ କଳାକାର । ଆଉ ଯେତିକି ରହିଲେ ସେମାନେ ଏବେ ବାର୍ଦ୍ଧକ୍ୟ ଅବସ୍ଥାରେ । ତେବେ ଏଠି ପ୍ରଶ୍ନ ଜଣେ କଳାକାର ଯଦି ପରଲୋକରେ ଥାଏ କିମ୍ୱା ବାର୍ଦ୍ଧକ୍ୟ ଅବସ୍ଥାରେ ଥାଏ, ତାଙ୍କର କଣ କୌଣସି ସମ୍ମାନ ନାହିଁ ? ଏପରି କରିବା କେତେ ଦୂର ଠିକ୍ ? ଏବେ ଯାଏଁ ଏହାର କେହି ପ୍ରତିବାଦ କରୁନାହାନ୍ତି ।  ଅଭିନେତାଙ୍କ କଥା ତ ଛାଡନ୍ତୁ ସବୁଠୁ ବେଶି ଆଶ୍ଚର୍ଯ୍ୟର ବିଷୟ ଏବେ ରାଜନେତାଙ୍କୁ ବି ଛାଡ଼ୁନାହାନ୍ତି ଏମାନେ । କିଛିଦିନ ହେବ 5T ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଶ୍ଳୀଳ ଭାଷା ବ୍ୟବହାର ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ସେସବୁ ଭିଡ଼ିଓରେ ଅଶ୍ଳୀଳ ଭାଷା ବ୍ୟବହାର ହୋଇଥିବାରୁ ପ୍ରମାଣ ସ୍ୱରୂପ ସେହି ଲିଙ୍କ୍ ବି ଆମେ ଏଠାରେ ସେୟାର କରିପାରୁନୁ ।

ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଛାତ୍ରଛାତ୍ରୀ । କୋଭିଡ ପରେ ପରେ ଅଧିକାଂଶ ପିଲା ଏବେ ମୋବାଇଲ ବ୍ୟବହାର କରୁଛନ୍ତି । ସେମାନେ ଯେତେବେଳେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି । ସେତେବେଳେ ସେମାନେ ଏଭଳି କଣ୍ଟେଟ୍ ଦେଖି ଏଥିରେ ପ୍ରଭାବିତ ହେଉଛନ୍ତି । ଏନେଇ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦେଖିବକୁ ମିଳୁଛି । ଯଦି ସେମାନଙ୍କର ଭିଡିଓ ଏପରି ଜାରି ରୁହେ ତେବେ ଆଗାମୀ ଦିନରେ ସମାଜକୁ ଆହୁରି ଖରାପ ପ୍ରଭାବ ପକାଇବ ।

 

Get real time updates directly on you device, subscribe now.