fbpx

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଝୁରିଲେ ଜନତା, ଏପରି ଢଙ୍ଗରେ ଜଣାଇଲେ କୃତଜ୍ଞତା

ଓଡ଼ିଶା ଭାସ୍କର: ମଙ୍ଗଳବାର ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ, ‘ଦଳମତ ନିର୍ବିଶେଷରେ ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଏବଂ ଧନ୍ୟବାଦ ଜଣାଉଛି ।’ ତେବେ ଦୀର୍ଘ ଅଢେଇ ଦଶନ୍ଧୀ ଧରି ସେ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଏହାରି ମଧ୍ୟରେ ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ସିଏମ ନବୀନ ପଟ୍ଟନାୟକଙ୍କୁ ଯୁବପିଢି ଝୁରୁଥିବା ଦେଖାଦେଇଛି ।

ସୋସିଆଲ ମିଡିଆରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଭଳିକି ଭଳି କୃତଜ୍ଞତା ଷ୍ଟାଟସ ଦେଖିବାକୁ ମିଳିଛି । ଏହିସବୁ ପୋଷ୍ଟରେ ଲେଖାଯାଇଛି ଯେ, ‘୨୪ ବର୍ଷ ଧରି ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେଇଥିବା ନବୀନ ବାବୁଙ୍କୁ ଅଶେଷ ଧନ୍ୟବାଦ । ଏହି ଅବଦାନ ପାଇଁ ସର୍ବଦା ସେ ଚୀର ସ୍ମରଣୀୟ ରହିବେ’ । ସେହିଭଳି ଅନ୍ୟ ଏକ ପୋଷ୍ଟରେ ଲେଖାଯାଇଛି ଯେ, ‘ଓଡ଼ିଶାରେ ଯେବେ ବାତ୍ୟା, ବନ୍ୟା ଆସିବ ସେତେବେଳେ ନବୀନ ବାବୁଙ୍କ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ମନେପଡିବ । ସାରା ଦୁନିଆକୁ ବିପର୍ଯ୍ୟୟ ମୁକାବିଲାର ମନ୍ତ୍ର ଦେଇଛନ୍ତି । ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ଏବଂ ପାରଦର୍ଶୀତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଅଟେ । ଆମ ପିଢି ଗର୍ବର ସହ କହି ପାରିବ ଯେ, ନବୀନ ବାବୁ ଓଡ଼ିଶାକୁ କେଉଁଠାରୁ ଆଣି କେଉଁଠି ପହଞ୍ଚାଇ ଦେଲେ ।’

ଆଉ ଜଣେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଏକ ଅଭାବୀ ରାଜ୍ୟ ଆଜି ଆର୍ଥିକ ସ୍ୱଚ୍ଛଳ ରାଜ୍ୟ ହୋଇଛି । ଦେଶ ବିଦେଶରେ ଓଡ଼ିଶା ନିନ୍ଦା ଆଉ ଅପବାଦ ନୁହେଁ ବରଂ ସୁନାମ ପାଇଛି । ସବୁ କ୍ଷେତ୍ରରେ ଓଡ଼ିଶାର ଉତ୍କର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଛି । ଏସବୁ ସଫଳତା ପାଇଁ ପ୍ରତିଟି ଓଡ଼ିଶାବାସୀଙ୍କ ହୃଦୟରେ ସବୁବେଳେ ରହିଥିବେ ନବୀନ ବାବୁ । ଜଣେ ଅତ୍ୟନ୍ତ ଭଦ୍ର ଏବଂ ଗୁଣୀ ବ୍ୟକ୍ତିଭାବେ ନବୀନ ବାବୁ ନିଜର ଅଭୁଲା ଛାପ ଛାଡି ଯାଇଛନ୍ତି । ଆହୁରି ଏହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କୃତଜ୍ଞତା ଜଣାଇଛନ୍ତି ଜନତା ।

 

Get real time updates directly on you device, subscribe now.