ଏସସିଓ ବୈଠକ ପାଇଁ ପାକିସ୍ତାନରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗ ଦେବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ପହଞ୍ଚିଛନ୍ତି । ଏସ୍ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି । ଏସସିଓର ସରକାର ମୁଖ୍ୟଙ୍କ ପରିଷଦ ବୈଠକ ପାଇଁ ମୁଁ ଇସଲାମାବାଦରେ ପହଞ୍ଚିଛି ବୋଲି ସେ କହିଛନ୍ତି ।

ଏସସିଓର ସରକାର ମୁଖ୍ୟ ପରିଷଦର ୨୩ତମ ଶିଖର ସମ୍ମିଳନୀ ଇସଲାମାବାଦରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅଧ୍ୟକ୍ଷତା କରିବେ । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ଏହି ବୈଠକ ଅନୁଷ୍ଠିତ ହେଉଛି । ପାକିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ହେବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ।

ଏହି ଗସ୍ତ ସମ୍ପର୍କରେ ସେ କହିଛନ୍ତି ଯେ ସେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆଲୋଚନା କରିବାକୁ ପାକିସ୍ତାନ ଯାଉନାହାନ୍ତି । ୨୦୧୫ ଡିସେମ୍ବରରେ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ହାର୍ଟ ଅଫ୍ ଏସିଆ ସମ୍ମିଳନୀରେ ଯୋଗ ଦେବା ପାଇଁ ଇସଲାମାବାଦ ଗସ୍ତ କରିଥିଲେ ।

Get real time updates directly on you device, subscribe now.