“ଫ*** ଅଫ୍, ଇଣ୍ଡିଆନ୍”, ଅଷ୍ଟ୍ରେଲିଆରେ ଭାରତୀୟ ଯୁବକଙ୍କୁ ଜାତିଗତ ନିର୍ଯାତନା ସହ ନିର୍ମମ ଆକ୍ରମଣ
ଅଷ୍ଟ୍ରେଲିଆରେ ଭାରତୀୟ ଯୁବକଙ୍କ ଉପରେ ନିର୍ମମ ଆକ୍ରମଣ
ନୂଆଦିଲ୍ଲୀ: କାର ପାର୍କିଂ ଓ ଜାତି ଗୋତ୍ରକୁ ନେଇ ଜଣେ ଭାରତୀୟ ଯୁବକଙ୍କ ଉପରେ ନିର୍ମମ ଆକ୍ରମଣ! ଦକ୍ଷିଣ ଅଷ୍ଟ୍ରେଲିଆର ଆଡିଲେଡ୍ରେ ଗତ ସପ୍ତାହରେ ଜଣେ ଭାରତୀୟ ଯୁବକଙ୍କ ଉପରେ ନିର୍ମମ ଆକ୍ରମଣ ଓ ଜାତିଗତ ଅପମାନର ଘଟଣା ଘଟିଛି। କାର୍ ପାର୍କିଂ ବିବାଦକୁ ନେଇ ଏକ ଅଜଣା ଗୋଷ୍ଠୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ରିପୋର୍ଟ ଅନୁଯାୟୀ, ଶନିବାର ରାତି ପ୍ରାୟ ୯:୨୨ରେ ଚାରଣପ୍ରୀତ ସିଂହ ନାମକ ଜଣେ ଭାରତୀୟ ତାଙ୍କ ପତ୍ନୀଙ୍କ ସହ ଆଡିଲେଡ୍ର ଆଲୋକ ପ୍ରଦର୍ଶନୀ ଦେଖିବାକୁ ଯାଇଥିବା ବେଳେ କିଣ୍ଟୋର ଆଭେନ୍ୟୁ ନିକଟରେ ଏହି ଘଟଣା ଘଟିଥିଲା। ଚାରଣପ୍ରୀତ କହିଛନ୍ତି, ଏକ ଦଳ ତାଙ୍କୁ “ଫ*** ଅଫ୍, ଇଣ୍ଡିଆନ୍” ଭଳି ଜାତିଗତ ଅପମାନଜନକ ଶବ୍ଦ କହି ବିନା କାରଣରେ ଆକ୍ରମଣ କରିଥିଲେ।
ସେ କହିଛନ୍ତି, “ମୁଁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲି, କିନ୍ତୁ ସେମାନେ ମୋତେ ବହୁତ ପିଟିଥିଲେ,।” ଗ୍ଲୋବାଲ ମିଡିଆ ରିପୋର୍ଟ ଓ ଭିଡିଓ ଅନୁଯାୟୀ, ପାଞ୍ଚଜଣ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ଚାରଣପ୍ରୀତଙ୍କ ମୁହଁ ଓ ପେଟରେ ଆଘାତ କରିଥିଲେ। ଜଣେ ମହିଳା ଏହି ଆକ୍ରମଣର ଭିଡିଓ ରେକର୍ଡ କରିଥିବା ବେଳେ ଭୟରେ ଚିତ୍କାର କରି ଅପରାଧୀମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ତା ପରେ ଆକ୍ରମଣକାରୀମାନେ ଚାରଣପ୍ରୀତଙ୍କୁ ସେହିଭଳି ଖରାପ ଅବସ୍ଥାରେ ଛାଡ଼ି ସେମାନଙ୍କ ଗାଡ଼ିରେ ପଳାଇ ଥିଲେ।
ଚାରଣପ୍ରୀତ ମୁଣ୍ଡରେ ଆଘାତ ଓ ମୁହଁରେ ଏକାଧିକ ହାଡ଼ ଭାଙ୍ଗିବା ଭଳି ଗୁରୁତର ଆଘାତ ପାଇଛନ୍ତି। ତା ପରେ ତାଙ୍କୁ ରୟାଲ ଆଡିଲେଡ୍ ହସ୍ପିଟାଲକୁ ନିଆଯାଇ ତାଙ୍କର ଚିକିତ୍ସା କରାଯାଉଛି।
ପୁଲିସ ଜଣେ ୨୦ ବର୍ଷୀୟ ଅଭିଯୁକ୍ତଙ୍କୁ ଏନଫିଲ୍ଡ଼ରୁ ଗିରଫ କରି ଆକ୍ରମଣ ଅଭିଯୋଗରେ ମାମଲା ରୁଜୁ କରିଛି। ଅନ୍ୟ ଅପରାଧୀମାନଙ୍କୁ ଖୋଜିବା ପାଇଁ ପୁଲିସ ସାଧାରଣ ଲୋକଙ୍କ ସହାୟତା ଲୋଡ଼ିଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଓ ଘଟଣାର ବିସ୍ତୃତ ତଦନ୍ତ ଚାଲିଛି।