ଦୂରଦର୍ଶନର ଜଣାଶୁଣା ସମ୍ବାଦ ପାଠିକା ଗୀତାଞ୍ଜଳି ଆୟରଙ୍କ ପରଲୋକ

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ସମ୍ବାଦ ପାଠିକା ଗୀତାଞ୍ଜଳି ଆୟର ଆଉ ନାହାନ୍ତି । ୭୧ ବର୍ଷ ବୟରେ ଗୀତାଞ୍ଜଳିଙ୍କ ପରଲୋକ ଘଟିଛି । ଗୀତାଞ୍ଜଳି ଦୀର୍ଘ ୩୦ ବର୍ଷ ଧରି ଇଂରାଜୀ ଭାଷାରେ ସମ୍ବାଦ ପରିବେଷଣ କରି ବେଶ୍ ପରିଚିତି ହାସଲ କରିପାରିଥିଲେ । ଇଂରାଜୀରେ ସମ୍ବାଦ ଉପସ୍ଥାପନ ପାଇଁ ସେ ବେଶ୍ ପ୍ରସିଦ୍ଧି ଲାଭ କରିବା ସହିତ ୪ ଥର ଶ୍ରେଷ୍ଠ ଉପସ୍ଥାପିକା ଭାବେ ପୁରସ୍କୃତ ହୋଇଥିଲେ ।

ଗତ ୧୯୭୧ରେ ଗୀତାଞ୍ଜଳି ନ୍ୟାସନାଲ ସ୍କୁଳ ଅଫ୍ ଡ୍ୟାମା (ଏନଏସଡି)ରୁ ଶିକ୍ଷାଗ୍ରହଣ କରିଥିଲେ । ଏହାପରେ ସେ ଦୂରଦର୍ଶନରେ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ । ଦୂରଦଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଖାନଦାନ’ରେ ମଧ୍ୟ ଗୀତାଞ୍ଜଳି ଅଭିନୟ କରିଥିଲେ । ୧୯୮୯ରେ ଗୀତାଞ୍ଜଳିଙ୍କୁ ଇନ୍ଦିରା ଗାନ୍ଧି ପ୍ରିୟଦର୍ଶିନୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିବା ପରେ ଗୀତାଞ୍ଜଳି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ । ବିଗତ କିଛିଦିନ ଧରି ଗୀତାଞ୍ଜଳି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଥିଲେ । ମସ୍ତିଷ୍କରେ ରକ୍ତସ୍ରାବ ହେବା କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୀତାଞ୍ଜଳିଙ୍କ ଇଂରାଜୀ ଭାଷାର ବନାନ ଏତେ ସ୍ପଷ୍ଟ ଥିଲା ଯେ ତାଙ୍କର ଭାଷାକୁ ଶୁଣିବା ପାଇଁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଉଥିଲେ । ଗୀତାଞ୍ଜଳିଙ୍କ ମୃତ୍ୟୁକୁ ନେଇ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିଛନ୍ତି କଂଗ୍ରେସ ନେତ୍ରୀ ନୀତା ଡି’ସୌଜା ।