fbpx

ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଶେଷରେ ରଦ୍ଦ ହେଲା ବିବାଦୀୟ ତିନି କୃଷି ଆଇନ। ବୁଧବାର କୃଷି ଆଇନ ପ୍ରତ୍ୟାହାର ବିଧେୟକ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିସହ ଆନୁଷ୍ଠାନିକ ଭାବେ ବିଧେୟକ ପ୍ରତ୍ୟାହାର ହୋଇଛି। ଏହା ପୂର୍ବରୁ ନଭେମ୍ବର ୩୦ରେ ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଥିଲା। ସୋମବାର ଲୋକସଭା ପରେ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ ଗୃହୀତ ହୋଇଥିଲା। ସାଂସଦଙ୍କ ପ୍ରବଳ ହୋହାଲ୍ଲା ସମୟରେ ଧ୍ଵନିମତରେ ବିଧେୟକ ପାରିତ ହୋଇଥିଲା। ଏହା ପରେ ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ପାଇଁ ପଠାଯାଇଥିଲା। ବୁଧବାର ବିଧେୟକ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି।

ବିଲ୍ ପ୍ରତ୍ୟାହାର ଉପରେ ବିରୋଧୀ କହିଛନ୍ତି ଯେ, ଉପ ନିର୍ବାଚନର ପରାଜୟ ଏବଂ ଆଗାମୀ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ବର୍ଷେ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା କୃଷକଙ୍କ ଦାବି ପୂରଣ ହୋଇଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ତିନି କୃଷି ଆଇନ ବିଷୟରେ କୃଷକଙ୍କୁ ବୁଝାଇବାରେ ଆମେ ବିଫଳ ହୋଇଛୁ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର କରି ବଡ ପଣିଆ ଦେଖାଇଛନ୍ତି। ଅପରପକ୍ଷେ ବୁଧବାର ସିଙ୍ଘୁ ବର୍ଡରରେ ହେବାକୁ ଥିବା କୃଷକଙ୍କ ୪୦ ସଂଗଠନର ବୈଠକ ରଦ୍ଦ ହୋଇଛି। କେନ୍ଦ୍ର ସରକାର ବିଲ୍ ପ୍ରତ୍ୟାହାର ଘୋଷଣା ପରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଅନେକ ସଂଗଠନ ଏହି ବୈଠକରୁ ଦୂରେଇବାରେ ଲାଗିଛନ୍ତି। କୁହାଯାଉଛି ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ଡିସେମ୍ବର ୪ରେ ହେବ। ବୈଠକରେ ଆନ୍ଦୋଳନ ସମାପ୍ତ ହେବ କି ଜାରି ରହିବ ତା ଉପରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ।

Get real time updates directly on you device, subscribe now.