fbpx

ପାଖରେ ଅର୍ଥ ନଥିଲେ ଏମିିତି ଦିନ ଆସେ: ଘୋଡ଼ା ଓ ବଳଦକୁ ନେଇ ଚାଷ କାର୍ଯ୍ୟ କଲେ ଗରିବ କୃଷକ

ନୂଆଦିଲ୍ଲୀ: ଭାରତରେ କ୍ଷୁଦ୍ର କିଷାନଙ୍କ ଅବସ୍ଥା ଠିକ୍ ନାହିଁ । ସେମାନେ ଅନେକ ସମୟରେ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିଥାନ୍ତି । ତେବେ ଏହାର ଏକ ନଗ୍ନ ନମୂନା ସାମ୍ନାକୁ ଆସିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କୃଷକ ଜଣଙ୍କ ଗୋଟିଏ ଘୋଡ଼ା ଓ ଗୋଟିଏ ବଳଦକୁ ନେଇ ଚାଷ କାର୍ଯ୍ୟ କରୁଥିବା ଦେଖାଯାଉଛି ।

ତେବେ ଏହି ଭିଡିଓଟି ଦେଖିବାକୁ ମଜାଳିଆ ଲାଗୁଥିଲେ ହେଁ ଏହା ପଛରେ ଜଣେ କୃଷକଙ୍କର ଦୟନୀତି ପରିସ୍ଥିତି ଲୁଚି ରହିଛି । ଏହି ଭିଡିଓଟି ଛତିଗଡ଼ର ଜଶପୁର ବଗିଚା ନଗର ପଞ୍ଚାୟତର ୱାର୍ଡ ନମ୍ବର ୭ରୁ ଆସିଛି । ଏହି ଭିଡିଓ ଭାଇରାଲ ହେବା ପରେ ଗରିବ କୃଷକ ବବନ କୁମାରଙ୍କ ସଂଘର୍ଷମୟ କାହାଣୀ ପଦାକୁ ଆସି ପାରିଛି ।

ବବନ ନିଜ ପାଖରେ ୧୩ଟି ଗାଈ ରଖିଥିବା ବେଳେ ଅଚାନକ କୌଣସି ରୋଗ କାରଣରୁ ସବୁ ଗାଈ ମରିଯାଇଥିଲେ । ଏହାପରେ ସେ ୨ ହଜାର ଟଙ୍କା ଦେଇ ଏକ ଛୋଟ ବାଛୁରୀ କିଣିଥିଲେ ଓ ୨ ବର୍ଷ ପର୍ଯ୍ୟନ୍ତ ତା’ର ଲାଳନପାଳନ କରିଥିଲେ । ସେହି ସମୟରେ ସେ ଏକ ଛୋଟ ଘୋଡ଼ାକୁ କିଣିଥିଲେ, ଯାହାକି ବର୍ତ୍ତମାନ ବଡ଼ ହୋଇଯାଇଛି ।

ତେବେ ବବନଙ୍କର ନିଜର ବୋଲି କିଛି ବି ଜମି ନଥିବା ବେଳେ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ସେ ଅନ୍ୟ ଲୋକଙ୍କର ଜମିକୁ ଲିଜରେ ନେଇ ଗୋଟିଏ ବଳଦ ସହ ଘୋଡ଼ାକୁ ଯୋଚି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଟ୍ରାକ୍ଟରରେ ଜମି ଚାଷ କରିବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଥିଲା । ତେଣୁ ସେ ଯେ କୌଣସି ପ୍ରକାରେ ନିଜର ଜମିରେ ହଳ କରିଥିଲେ ବୋଲି ବବନ କହିଛନ୍ତି । ତେବେ ପ୍ରଶାସନ ତରଫରୁ ଗରିବ ବବନଙ୍କୁ ସହାୟତା ପ୍ରଦାନ ନେଇ ଦାବି କରାଯାଇଛି ।

Get real time updates directly on you device, subscribe now.