‘ଆମ କଷ୍ଟ କିଏ ବୁଝିବ, ଲୁହ ନୁହେଁ ଆମେ ରକ୍ତ କାନ୍ଦୁଛୁ…’ ବର୍ଷାରେ ଧାନ ନଷ୍ଟ ହୋଇଯାଉଛି ଦେଖି ଦୁଃଖ ବଖାଣୁଛନ୍ତି ଚାଷୀ
ଗଜପତି: ପଶ୍ଚିମାଝଡ଼ ପ୍ରଭାବରେ ଗତ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ବର୍ଷା ପାଇଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ଚାଷୀଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବର୍ତ୍ତମାନ ଅମଳ ସମୟ । ଧାନମଣ୍ଡି ଖୋଲାଯାଇ ନଥିବାରୁ ଧାନ ଗୁଡିକ ଜମିରେ ହିଁ ପଡିରହିଛି । ଏପରି ଅଦିନିଆ ବର୍ଷା ଯୋଗୁଁ ଧାନ ଗୁଡ଼ିକ ନଷ୍ଟ ହେବା ଥୟ । ମଣ୍ଡି ଖୋଲିଲେ ଧାନର ମାନଦଣ୍ଡ ଦେଖି ଧାନ କ୍ରୟ କରିବେ ସରକାର । ଏପରି ହେଲେ ଓଦା ଧାନର ଗୁଣାବତ୍ତା କମିଯିବା ନିଶ୍ଚିତ । ତେଣୁ ଧାନର ମୂଲ୍ୟ କମିଯିବ ।
ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିରେ ଧାନଚାଷ ଆରମ୍ଭ କରିଥିଲେ ଚାଷୀ । ଧାନ ଗଛ ଲଗାଇବା ଠାରୁ ଅମଳ ପର୍ଯ୍ୟନ୍ତ ଦିନ ରାତି ଏକ କରି ନିଜ ନିଜ ଜମିକୁ ଜଳସେଚନ ପାଇଁ ଧାରକରଜ କରିଥିଲେ । ହେଲେ ଠିକ୍ ଅମଳ ବେଳେ ଚଳିତ ମାସ ପ୍ରଥମାର୍ଦ୍ଧରେ ହୋଇଥିବା ବର୍ଷାରେ ଧାନଗଛ ସହ କଟାଯାଇଥିବା ଧାନ ଜମିରେ ପଡିରହିଥିଲା । ବର୍ତ୍ତମାନ ଅନେକ ଚାଷୀ ଅମଳ ଧାନ ଗଛ କାଟି ନିଜ ନିଜ ଜମିରେ ଗଦେଇଛନ୍ତି । ଏପରି ସ୍ଥିତିରେ ପୁଣି ଗତ ଦୁଇଦିନ ହେଲା ଲଗାତାର ଝିପି ଝିପି ବର୍ଷା ହେଉଥିବା ଯୋଗୁଁ ନିଶ୍ଚିତ ଧାନ ନଷ୍ଟ ହେବା ଆକଳନ କରିଛନ୍ତି ଚାଷୀ । ଜଣେ ମହିଳା ଚାଷୀ ନିଜ ଚାଷ ଜମିରେ ଜମିଥିବା ପାଣିକୁ ବାଟ କଡାଉଥିବା ବେଳେ କାନ୍ଦି କାନ୍ଦି କେତେ ଯେ କଷ୍ଟରେ ଧାନ ଅମଳ କରିଛନ୍ତି ଏବଂ ଦୁଇ ଦୁଇଟି ଅଦିନିଆ ବର୍ଷା ଦ୍ୱାରା କିଭଳି ଭାବେ ପ୍ରଭାବିତ କଲା ସେନେଇ ବଖାଣିଥିଲେ ।
ଏହାସହ ଚଳିତ ବର୍ଷ ମଣ୍ଡିରେ ଧାନର ଗୁଣବତ୍ତା ନ ଦେଖି ନିର୍ଦ୍ଧାରିତ ଦର ଧାର୍ଯ୍ୟ ମୂଲ୍ୟରେ ସରକାର କ୍ରୟ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ଯଦି ଧାନ କିଣାରେ କଟନୀ ଛଟନୀ କରାଯାଏ ତେବେ ଚାଷୀକୂଳ ସମ୍ପୂର୍ଣ୍ଣ ମାତ୍ରାରେ କ୍ଷତି ସହିବେ । ଫଳରେ ବର୍ଷ ତମାମ କଷ୍ଟର ମୂଲ୍ୟ ଆଉ ପାଇବେନି । ଅନ୍ୟପକ୍ଷରେ ଚାଷୀମାନେ କହିଛନ୍ତି ଯେ, ତତ୍କାଳୀନ ସରକାର ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ବାରମ୍ବାର ସଚେତନତା କରାଇଆସୁଥିଲେ । ବିଶେଷ କରି ଧାନ ଅମଳ ସମୟରେ ଅଦିନିଆ ବର୍ଷାର ସମ୍ଭାବନାକୁ ନେଇ ସୂଚାଉଥିଲେ । ଧାନର ସୁରକ୍ଷା ଠାରୁ ଆରମ୍ଭ କରି ଧାନ କାଟିବା ଆଦି ସମ୍ପର୍କରେ ଅନ୍ତତଃ ସୂଚନା ପ୍ରଦାନ କରୁଥିଲେ । ଫଳରେ ବହୁ ଚାଷୀ ଏହା ଦ୍ୱାରା ନିଜ ନିଜ ଅମଳ ଧାନର ସୁରକ୍ଷା କରିପାରୁଥିଲେ । ହେଲେ ବର୍ତ୍ତମାନ ଆଉ ସରକାରଙ୍କ ତରଫରୁ ଜନସଚେତନତା କରାଯାଉ ନଥିବା ଯୋଗୁଁ ବ୍ୟାପକ କ୍ଷତି ଘଟୁଥିବାର କହିଛନ୍ତି ।