ସମବାୟ ମନ୍ତ୍ରୀଙ୍କ ବଡ ଘୋଷଣା, ଫସଲହାନୀ ହୋଇଥିଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ବର: ଫସଲ ଉଜାଡିଦେଲା ଅଦିନିଆ ବର୍ଷା । ଲଘୁଚାପ ବର୍ଷା ଚାଷୀମାନଙ୍କର ଅଣ୍ଟା ଭାଙ୍ଗିଦେଇଛି । ଚାଷୀଙ୍କୁ ଧାନ ପାଇଁ ଟୋକେନ ମିଳିଥିବା ହେଁ  ବର୍ତ୍ତମାନ ସୁଦ୍ଧା ଧାନ ଅମଳ ହୋଇପାରି ନାହିଁ । ଚାଷୀମାନଙ୍କର ଧାନ ଏବେ ଖେତରେ ଥିବା ବେଳେ ଏଥିରେ ଗଜା ହେବାର ଆଶଙ୍କା ଉପୁଜିଛି । ଏହାରି ଭିତରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ସୂଚନା  ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । କମିଟି ଯାଇ ତଦନ୍ତ କରିବ, ଫସଲହାନୀ ହୋଇଥିଲେ କ୍ଷତିପୂରଣ ଦିଆଯିବ । ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି । ବୀମା କମ୍ପାନୀମାନଙ୍କ ଉପରେ ନଜର ରଖାଯାଇଛି ତେଣୁ କେହି ଠକି ପାରିବେନି ବୋଲି ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଥିବା ବେଳେ 9 ଟି ଜିଲ୍ଲାକୁ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ ପୁରୀରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଜାରି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଚାଷୀମାନେ ପାଣିଭିତରୁ ଧାନ ଛାଣିଲା ଭଳି ପରିସ୍ଥିତି ଉପୁଜୁଛି । ଋଣକରି ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହାରି ଭିତରେ ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଆଶ୍ବସ୍ତି ପ୍ରଦାନ କରିଛି ।