ପୁଅ ଲୋଭରେ ବାପା ସାଜିଲା ରାକ୍ଷସ, ଦୁଇ ଝିଅଙ୍କୁ ଛେଚି ମାରିବା ପରେ ମାଟି ଖୋଳି ପୋତିଦେଲା

୫ମାସର ୨ ଶିଶୁ କନ୍ୟାଙ୍କୁ ହତ୍ୟା ।

ନୂଆଦିଲ୍ଲୀ: ରାଜସ୍ଥାନର ନିମକାଥାନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବାପା କେବଳ ପୁଅ ଚାହୁଁଥିବାରୁ ତାଙ୍କର ପାଞ୍ଚ ମାସର ଯମଜ ଝିଅଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଜଣାପଡିଛି ।

ଅଭିଯୁକ୍ତ ଅଶୋକ କୁମାର ଯାଦବ ନିର୍ଦ୍ଦୋଷ ଝିଅମାନଙ୍କୁ ତଳେ ଫିଙ୍ଗି ହତ୍ୟା କରିଥିଲେ ଏବଂ ତା’ପରେ ତାଙ୍କ ପରିବାର ସହିତ ମିଶି ମୃତଦେହଗୁଡ଼ିକୁ ଏକ ପୋଖରୀରେ ପୋତି ଦେଇଥିଲେ । ମୃତ ଝିଅମାନଙ୍କ ମାଆ ଅନିତା ଯାଦବ ଏହି ଦୁଃଖଦ ଘଟଣାକୁ ସହ୍ୟ କରିପାରିଲେ ନାହିଁ ଏବଂ ସେ ପୋଲିସକୁ ଜଣାଇଥିଲେ । ପୋଲିସ ମୃତଦେହଗୁଡ଼ିକୁ ମାଟିରୁ ବାହାର କରି ପୋଷ୍ଟମର୍ଟମ କରାଇଲା ଏବଂ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

5 ମାସର ହୋଇଥିଲେ ଦୁଇ ଝିଅ- ପୀଡିତା ଅନିତା ଯାଦବ ପୋଲିସକୁ କହିଛନ୍ତି ଯେ ତାଙ୍କର ବିବାହ ୧୧ ନଭେମ୍ବର ୨୦୧୬ରେ ଅଶୋକ କୁମାରଙ୍କ ସହ ହୋଇଥିଲା। ବିବାହ ପରେ ୪ ନଭେମ୍ବର ୨୦୨୪ରେ ସେ ଯମଜ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ ତାଙ୍କ ସ୍ୱାମୀ ଏବଂ ଶାଶୁ ଏହାକୁ ଅଭିଶାପ ବୋଲି ଭାବି ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ ।

27 ମାର୍ଚ୍ଚରେ ସାମ୍ନାକୁ ଆସିଥିଲା ହତ୍ୟାକାଣ୍ଡ- ୨୭ ମାର୍ଚ୍ଚରେ ସ୍ୱାମୀ ଅଶୋକ ଘର କାମକୁ ନେଇ ଝଗଡ଼ା ଆରମ୍ଭ କରିଥିଲେ । ଝଗଡ଼ା ସମୟରେ, ସେ ପ୍ରଥମେ ଜଣେ ଝିଅକୁ ତଳେ ଛେଚି ଦେଇଥିଲେ, ଯାହା ଫଳରେ ତାଙ୍କ ନାକ ଏବଂ ପାଟିରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା।  ତା’ପରେ ସେ ଅନ୍ୟ ଝିଅଟିକୁ ମଧ୍ୟ ତଳେ ପକାଇ ଦେଲେ । ଏହି ଭୟଙ୍କର ଦୃଶ୍ୟ ଦେଖି ଅନିତା ଚେତାଶୂନ୍ୟ ହୋଇ ପଡ଼ିଲେ । ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ସାଜିଛି ।