ଆମ୍ବୁଲାନ୍ସ ମିଳିଲାନି, ଠେଲାରେ ଦିବ୍ୟାଙ୍ଗ ପୁତ୍ରଙ୍କୁ ମେଡିକାଲ ନେଲେ ବାପା: ମେଡିକାଲରେ ପହଞ୍ଚିବା ବେଳକୁ ବହୁତ ଡେରି ହୋଇଗଲା
ନୂଆଦିଲ୍ଲୀ: ଆମ୍ବୁଲାନ୍ସ ଅଭାବରୁ ରୋଗୀଙ୍କର ମୃତ୍ୟୁ ଘଟିବା ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଛି । ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଅନେକ ଗରିବ ରୋଗୀ ମୃତ୍ୟୁବରଣ କରୁଥିଲେ ହେଁ ଏହି ପରିସ୍ଥିତି ସୁଧୁରିବାର ନାଁ ଗନ୍ଧ ଧରୁନାହିଁ । ଏପରି ଏକ ଘଟଣାର ପୁନରାବୃତ୍ତି ଘଟିଛି ବିହାରରେ । ଜଣେ ୩୦ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ମିଳିନଥିଲା । ଫଳରେ ବାଧ୍ୟହୋଇ ତାଙ୍କୁ ଏକ ପରିବା ବିକ୍ରି କରାଯାଉଥିବା ଠେଲାରେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେତେବେଳକୁ ସବୁକିଛି ସରିଯାଇଥିଲା ।
ନାଳନ୍ଦା ଜିଲ୍ଲାରେ ଏପରି ଏକ ଅମାନବୀୟ ଘଟଣାର ଦେଖିବାକୁ ମିଳିଛି । ହିଲସା ସହରର ପାସୱାନ ଟୋଲା ଅଞ୍ଚଳର ଅମରଜିତ କୁମାର ନାମକ ଜଣେ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ତେଣୁ ପୁତ୍ର ଅମରଜିତଙ୍କୁ ହସ୍ପିଟାଲ ନେବା ପାଇଁ ତାଙ୍କ ବାପା ଅଶୋକ ପାସୱାନ ଆମ୍ବୁଲାନ୍ସକୁ ଡକାଇଥିଲେ । ମାତ୍ର ଅସୁବିଧା ସମୟରେ ତାଙ୍କୁ ଆମ୍ବୁଲାନ୍ସ ସୁବିଧା ନମିଳିବାରୁ ସେ ବାଧ୍ୟହୋଇ ଠେଲାରେ ନିଜ ପୁଅକୁ ମେଡିକାଲ ନେଇଯାଇଥିଲେ ।
ଠେଲା ଗାଡ଼ିରେ ପିତା ଅଶୋକ ପୁତ୍ର ଅମରଜିତଙ୍କୁ ନେଇ ବିଳମ୍ବରେ ମେଡିକାଲରେ ପହଞ୍ଚିଥିଲେ । ଫଳରେ ତାଙ୍କର ପୁଅ ଆଉ ଏ ଦୁନିଆରେ ନଥିଲା । ଡାକ୍ତରମାନେ ଅମରଜିତଙ୍କୁ ମୃତ ଘୋଷିତ କରିବା ସହ ତାଙ୍କୁ ଶୀଘ୍ର ହସ୍ପିଟାଲକୁ ଶବ ନେଇଯିବାକୁ କହିଥିଲେ । ଫଳରେ ମୃତ ପୁତ୍ରର ଶବକୁ ପୁନର୍ବାର ଠେଲାରେ ନେଇ ଘରକୁ ଫେରିଥିଲେ ବାପା ଅଶୋକ । ଏହି ଘଟଣା ପରେ ସରକାରୀ ବ୍ୟବସ୍ଥାକୁ ନେଇ ଚାରିଆଡ଼େ ନିନ୍ଦା କରାଯାଇଥିଲା । ଉକ୍ତ ହସ୍ପିଟାଲରେ ପୂର୍ବରୁ ଆମ୍ବୁଲାନ୍ସର ଅଭାବ ଥିଲା ବୋଲି ମେଡିକାଲ କର୍ତ୍ତପକ୍ଷ ପ୍ରତିକ୍ରିୟାରେ କହିଛନ୍ତି ।