fbpx

(Video) ଚଳନ୍ତା ଟ୍ରେନରେ ଚଢିବା ବେଳେ ଖସିଗଲେ: ପ୍ଲାଟଫର୍ମ ଚଟାଣ ଆଉ ଟ୍ରେନ ମଝିରେ ବୃଦ୍ଧା, ଆଉ ତା’ ପରେ…

ଖୋର୍ଦ୍ଧା: ବର୍ତ୍ତମାନ ଟ୍ରେନ ଦୁର୍ଘଟଣା ଏବଂ ଅଘଟଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଖସିଯାଇଛି ଜଣେ ବୃଦ୍ଧା ମହିଳାଙ୍କ ଗୋଡ । ଯାହା ଫଳରେ ପ୍ଲାଟଫର୍ମ ଚଟାଣ ଓ ଟ୍ରେନ ମଝିରେ ବୃଦ୍ଧା ମହିଳା ଜଣକ ଫସି ରହିଯାଇଥିଲେ । ତେବେ ଟ୍ରେନଟି ଘୋଷାଡି ଘୋଷାଡି ମହିଳାଙ୍କୁ ନେବା ବେଳେ ସେ ଲୌହଦାନବର ପଞ୍ଝାରେ ଫସି ଯାଇଥିଲେ ।

ତେବେ ଏହି ସମୟରେ ଦେବଦୂତ ସାଜି ପହଞ୍ଚିଯାଇଥିଲେ ଜଣେ ସାହସୀ ଆରପିଏଫ ଯବାନ । ମହିଳାଙ୍କୁ ବିପଦରେ ଦେଖି ସେ ନିଜ ଜୀବନକୁ ବାଜି ଲଗାଇ ମରଣ ମୁହଁରୁ ଟାଣି ଆଣିଛନ୍ତି । ଟିକିଏ ଭୁଲ ହୋଇଥିଲେ ଚାଲି ଯାଇଥାନ୍ତା ବୃଦ୍ଧା ମା’ଙ୍କ ଜୀବନ । ଠିକ ସମୟରେ ଦେବଦୂତ ଭଳି ଆରପିଏଫ କର୍ମଚାରୀ ଆସି ବୃଦ୍ଧାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ।

ସୂଚନା ଅନୁସାରେ, ପୁରୀ ଯିବା ପାଇଁ ଆଜି ସକାଳେ ଜଟଣୀ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଥିଲେ ୬୫ ବର୍ଷୀୟ ଜଣେ ବୃଦ୍ଧା ଓ ତାଙ୍କ ପରିବାର । ୧୮୪୨୬ ଦୁର୍ଗ ପୁରୀ ଏକ୍ସପ୍ରେସରେ ଯାଇଥାନ୍ତେ ପୁରୀ । ବୃଦ୍ଧା ଓ ତାଙ୍କ ପରିବାର ୪ ନମ୍ବର ପ୍ଲାଟଫମରେ ପହଁଚିଲା ବେଳକୁ ଟ୍ରେନ ଛାଡିଦେଲା । ବୃଦ୍ଧାଙ୍କ ପରିବାର ଲୋକେ ଟ୍ରେନରେ ଚଢ଼ିଗଲେ, କିନ୍ତୁ ବୃଦ୍ଧା ଜଣଙ୍କ ଟ୍ରେନରେ ଚଢ଼ିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା । ଆଉ ସେ ଟ୍ରେନ ଚକା ତଳକୁ ଯିବା ସମୟରେ ସେଠାରେ ଡ୍ୟୁଟି କରୁଥିବା ଆରପିଏଫ ଏଏସଆଇ ଜେ. କେ. ଆଚାର୍ଯ୍ୟ ଓ ହେଡ କନେଷ୍ଟବଳ ଏମ.ୱାଇ ରାଓ ଦେବଦୂତ ସାଜି ଆସି ବୃଦ୍ଧା ମହିଳା’ଙ୍କ ଜୀବନ ବଞ୍ଚାଇଛନ୍ତି । ଆରପିଏଫ କର୍ମଚାରୀଙ୍କ ସାହାସିକତା କାର୍ଯ୍ୟ ପାଇଁ ତାଙ୍କୁ ବୃଦ୍ଧାଙ୍କ ପରିବାର ସହ ବରିଷ୍ଠ କର୍ମଚାରୀ ଏବଂ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Get real time updates directly on you device, subscribe now.