fbpx

ବସରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ ୧୭ ଯାତ୍ରୀ…

କରାଚି: ଅନେକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ପୁଣି ଏକ ସମସ୍ୟାର ସମ୍ମୁଖୀନ ହୋଇଛି । ପାକିସ୍ତାନର ସିନ୍ଧ ଜିଲ୍ଲାରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହାତ ହୋଇଥିବା ଜଣା ପଡିଛି । ତେବେ ଏହି ଘଟଣା ପାକିସ୍ତାନର କରାଚି ଠାରୁ ୯୦ କିଲୋମିଟର ଦୂରରେ ଥିବା ନୁରିଆବାଦ ସହର ରାଜପଥରେ ଘଟିଛି। ଏହି ଯାତ୍ରୀବାହି ବସଟି ବୁଧବାର ସନ୍ଧ୍ୟାରେ ଖେରପୁର ନାଥାନ୍ ଶାହା ଅଞ୍ଚଳକୁ ଯାଉଥିବା ସମୟରେ ଏପରି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ପାକ୍ ଅଧିକାରୀ ସୂଚନା ଦେଇଛନ୍ତି ।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଏହି ଆନ୍ତଃ ରାଜ୍ୟ ବସ୍ ଟି କରାଚିରେ ଥିବା ଆଶ୍ରୟସ୍ଥଳୀରୁ ପ୍ରାୟ ୫୦ ରୁ ଅଧିକ ବନ୍ୟା ପୀଡିତଙ୍କୁ ନେଇ ଖେରପୁର ନାଥନ ଶାହାକୁ ଯାଉଥିବା ବେଳେ ଏହି ଘଟଣାଟି ଘଟିଛି । ଯାହାକି ପାକ୍ ପୋଲିସ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ମୃତକଙ୍କ ପୋଷ୍ଟମର୍ଟମ ଚାଲିଛି ଏବଂ ଆହାତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ସିନ୍ଧ ସଂସଦୀୟ ସ୍ୱାସ୍ଥ୍ୟ ସଚିବ କାସୀମ ସୋମ୍ରୋ କହିଛନ୍ତି ଯେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପୀଡିତଙ୍କ ମଧ୍ୟରୁ ଅତି କମରେ ୧୨ ଜଣ ନାବାଳକଥିଲେ , ଯେଉଁମାନଙ୍କ ବୟସ ୧୫ ବର୍ଷ କିମ୍ବା ତା’ଠାରୁ କମ୍ ହେବ । ଏଥିସହିତ ଏହି ବସ୍‌ରେ ଥିବା ସମସ୍ତ ଯାତ୍ରୀ ଖେରପୁର ନାଥାନ୍ ଶାହାର ଗୋଟିଏ ଗାଁର ଯାତ୍ରୀ ଥିଲେ । ।

ତେବେ ଏହି ଅଗ୍ନିକାଣ୍ଡ ଘଟଣାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ସିନ୍ଧର ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା ଏହି ପ୍ରସଙ୍ଗରେ ସମବେଦନା ଜଣାଇଛନ୍ତି। ଏତତ୍ ବ୍ୟତୀତ ସମସ୍ତ ମୃତକଙ୍କ ପରିବାରକୁ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପୋଲିସ-ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଆହତମାନଙ୍କୁ ମଧ୍ୟ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଡାକ୍ତରଖାନାରେ ବର୍ତ୍ତମାନ ଅନେକ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବି ଗୁରୁତର ଥିବା ଜଣାପଡିଛି।

Get real time updates directly on you device, subscribe now.