ଝିମିଟି ଖେଳରୁ ମହାଭାରତ………କଦଳୀ ପାଇଁ ମାଡ଼ଗୋଳ ହେଲେ ମାଙ୍କଡ, ଅଟକିଲା ଏକ୍ସପ୍ରେସ୍

ପାଟନା: ବିହାର ସମଷ୍ଟିପୁରା ଜଙ୍କଶନରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ୪ ନମ୍ବର ପ୍ଲାଟଫର୍ମରେ ଦୁଇ ମାଙ୍କଡ଼ ଗୋଟିଏ କଦଳୀ ପାଇଁ ମାଡ଼ଗୋଳ ହେଉଥିଲେ । ଏତିକି ବେଳେ ଗୋଟିଏ ମାଙ୍କଡ଼ ରବର ଭଳି କିଛି ଜିନିଷକୁ ଅନ୍ୟ ମାଙ୍କଡ଼ ଉପରକୁ ଫୋପାଡ଼ିଲା । ସେତିକିବେଳେ ସେହି ରବରଟି ସେମାନଙ୍କ ମୁଣ୍ଡ ଉପର ଦେଇ ଯାଇଥିବା ଇଲେକ୍ଟ୍ରି ତାରରେ ଯାଇ ବାଜିଲା । ଏହାପରେ ତାରରେ ସର୍ଟସର୍କିଟ ହେଲା । ତାର ଛିଡ଼ି ଷ୍ଟେଶନରେ ଛିଡ଼ାଥିବା ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ବଗି ଉପରେ ପଡ଼ିଲା ।

ବଗି ଉପରେ ଇଲେକ୍ଟ୍ରିକ୍ ତାର ଛିଡ଼ି ପଡ଼ିବା ଦେଖି ରେଳ ଅଧିକାରୀ ତାର ମରାମତି କରିଥିଲେ । ଯେଉଁଥିରେ ପ୍ଲାଟଫର୍ମରୁ ଟ୍ରେନ୍ ଛାଡ଼ିବା ବିଳମ୍ବ ହୋଇଥିଲା । ରିପୋର୍ଟ ମୁତାବକ ପାଖାପାଖି୨୦-୩୦ ମିନିଟ୍ ବିଳମ୍ବରେ ଟ୍ରେନ୍ ପ୍ଲାଟଫର୍ମ ଛାଡ଼ିଥିଲା । ଦୁଇଜଣଯାକ ମାଙ୍କଡ଼ ସମଷ୍ଟିପୁରା ଜଙ୍କଶନରୁ ବରଉନି ଷ୍ଟେଶନ ଆଡ଼କୁ ଧାଇଁଲେ । ସୂଚନାନୁସାରେ ମାଙ୍କଡ଼ଙ୍କ ଯୋଗୁଁ ସେଠାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ବନବିଭାଗକୁ ଏ ସମ୍ପର୍କରେ ଜଣାଯାଇଥିଲା, ଯାହାପରେ ବନବିଭାଗ କର୍ମଚାରୀ ଷ୍ଟେଶନରେ ପହଞ୍ଚି ଦୁଇଟି ଯାକ ମାଙ୍କଡ଼ଙ୍କୁ କାବୁ କରିଥିଲେ ।