fbpx

କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଚୂଡାନ୍ତ ପ୍ରସ୍ତୁତି ଶେଷ, ୧୨ ଜଣ ମନ୍ତ୍ରୀଙ୍କ ହୋଇପାରେ ଛୁଟି, ଏମାନଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଚୂଡାନ୍ତ ପ୍ରସ୍ତୁତି ପୁରା ହୋଇ ସାରିଛି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସେନୋଓ୍ଵାଲଙ୍କୁ ଶନିବାର ଦିଲ୍ଲୀ ତଲବ କରାଯାଇଛି। ଏଥିସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ରାଜଧାନୀରେ ରହିବାକୁ କୁହାଯାଇଛି।

ବିଶେଷ ସୂତ୍ର ଅନୁଯାୟୀ, ମନ୍ତ୍ରିମଣ୍ଡଳ ବିସ୍ତାରରେ ବ୍ୟାପକ ପରିବର୍ତ୍ତନ କରାଯିବ। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୫୩ ମନ୍ତ୍ରୀ ଅଛନ୍ତି। ସମ୍ବିଧାନ ଅନୁଯାୟୀ, ମନ୍ତ୍ରିମଣ୍ଡଳରେ ସର୍ବାଧିକ ୮୧ ମନ୍ତ୍ରୀ ରହି ପାରିବେ। ଏହି ହିସାବରେ ଆହୁରି ୨୮ ଜଣଙ୍କୁ ନିଯୁକ୍ତ କରାଯାଇପାରେ। ସଂପ୍ରସାରଣରେ ଏନଡିଏ ସହଯୋଗୀ ଦଳ ମଧ୍ୟରୁ ଅପନା ଦଳ ଓ ଆନ୍ନାଦ୍ରମୁକକୁ ମଧ୍ୟ ସ୍ଥାନ ମିଳିପାରେ। ମାତ୍ର ଜେଡିୟୁକୁ ନେଇ ଅଦ୍ୟାବଧି ସ୍ଥିତି ସ୍ପଷ୍ଟ ହୋଇ ପାରି ନାହିଁ।

ଏମିତି ମଧ୍ୟ ସୂଚନା ରହିଛି ଯେ, ମନ୍ତିମଣ୍ଡଳ ସଂପ୍ରସାରଣରେ ପ୍ରାୟ ୧୨ ଜଣ ମନ୍ତ୍ରୀଙ୍କ ଛୁଟି ହୋଇପାରେ। ଏଥିସହ ସେହି ସଂଖ୍ୟାରେ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ କରାଯାଇପାରେ। କାରଣ ୨୮ ମନ୍ତ୍ରୀଙ୍କୁ ନୂତନ ଟିମରେ ସାମିଲ କରାଯିବାର ବିକଳ୍ପ ରହିଛି। ଏହି ହିସାବରେ ୨୪ ନୂତନ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।

ଜେଡିୟୁ ମାଗୁଛି ତିନି ପଦ

ଏନଡିଏର ସହଯୋଗୀ ଜନତା ଦଳ ୟୁନାଇଟେଡ(ଜେଡିୟୁ) ସରକାରରେ ସାମିଲ ହେବା ପାଇଁ ଦୁଇ କ୍ୟାବିନେଟ୍ ଏବଂ ଏକ ରାଷ୍ଟ୍ର ମନ୍ତ୍ରୀ ପଦ ଦେବାକୁ ପ୍ରସ୍ତାବ ଦେଇଛି। ଜେଡିୟୁ ମନ୍ତ୍ରିମଣ୍ଡଳ ବିସ୍ତାରରେ ସାମିଲ ହେବ କି ନାହିଁ ଏହା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରେ। ନୀତିଶ ମନ୍ତ୍ରିମଣ୍ଡଳରେ ୫ ପଦ ଦାବି କରିଛନ୍ତି। ନିଜର ନୂତନ ପ୍ରସ୍ତାବକୁ ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି।

ୟୁପି ସହିତ ନିର୍ବାଚନୀ ରାଜ୍ୟ ଉପରେ ନଜର

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ପ୍ରଧାନମନ୍ତ୍ରୀଙ୍କ ନଜର ଉତ୍ତର ପ୍ରଦେଶ ସହିତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ରହିଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ, ମନ୍ତ୍ରିମଣ୍ଡଳ ବିସ୍ତାର ମାଧ୍ୟମରେ ପାର୍ଟି ଉତ୍ତର ପ୍ରଦେଶର ବ୍ରାହ୍ମଣ ମତଦାତାଙ୍କୁ ଆକର୍ଷିତ କରିବ।

ତେଣୁ ରୀତ ବହୁଗୁଣା ଯୋଶୀ, ବରୁଣ ଗାନ୍ଧୀ ଓ ରମାପତି ରାମ ତ୍ରିପାଠୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ଏହା ବ୍ୟତୀତ ଦଳିତ ସମୁଦାୟକୁ ସନ୍ଦେଶ ଦେବା ପାଇଂ ରମାଶଙ୍କର କାଠେରିଆ ଓ ମୁସଲିମ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଜଫର ଇସଲାମଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି।

୯ ମନ୍ତ୍ରୀ ସମ୍ଭାଳୁଛନ୍ତି ଅତିରିକ୍ତ ବୋଝ

ରାମବିଳାସ ପାସଓ୍ଵାନ ଓ ସୁରେଶ ଅଙ୍ଗାଡିଙ୍କ ଦେହାନ୍ତ ଏବଂ ଏନଡିଏର ସହଯୋଗୀ ରହିଥିବା ଶିବସେନା ଓ ଅକାଳୀ ଦଳର ମନ୍ତ୍ରୀଙ୍କ ଇସ୍ତଫା କାରଣରୁ ନଅ ମନ୍ତ୍ରୀଙ୍କୁ ଅତିରିକ୍ତ ମନ୍ତ୍ରଣାଳୟ ସମ୍ଭାଳିବାକୁ ପଡୁଛି। ଏଥିରେ ନୀତିନ ଗଡକରୀ, ପ୍ରକାଶ ଜାଭେଦକର, ସ୍ମୁତି ଇରାନୀ, ପିୟୂଷ ଗୋଏଲ, ହରଦୀପ ପୁରୀ, ରବିଶଙ୍କର ପ୍ରସାଦ, ଧର୍ମେନ୍ଦ୍ର ପ୍ରଧାନ ଓ ହର୍ଷବର୍ଦ୍ଧନ ସାମିଲ। ସଂପ୍ରସାରଣରେ ଏହି ସବୁ ମନ୍ତ୍ରୀଙ୍କ ବୋଝ ହାଲୁକା କରାଯିବାର ଆଶା ରହିଛି।

Get real time updates directly on you device, subscribe now.