ବଢ଼ିବ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା! କ୍ୟାବିନେଟ ସବ-କମିଟି ଗଠନ କଲେ ଅର୍ଥମନ୍ତ୍ରୀ, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସରେ ରାଜ୍ୟରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଥିବାବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜ୍ୟର ବିଧାୟକମାନଙ୍କର ଦରମା ଓ ଭତ୍ତା ବଢ଼ିବା ଦାବି ପ୍ରସଙ୍ଗରେ ଆସିଛି ଏକ ନୂଆ ଅପଡେଟ୍ । ଏହି ପ୍ରସଙ୍ଗକୁ ନେଇ ଗତ ମାସରେ ବେଶ ଚର୍ଚ୍ଚା ହୋଇଥିଲା । ବାଚସ୍ପତି ଏ ବାବଦରେ ସୂଚନା ଦେବା ସହ ଏ ସଂକ୍ରାନ୍ତୀୟ ବିଲ ବିଧାନସଭାରେ ଆଗତ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ମୁତାବକ, ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଆସିଛି ଏକ ବଡ଼ ଅପଡେଟ୍ । ପୂର୍ବରୁ ବିଧାନସଭା ପରାମର୍ଶଦାତା କମିଟି ରିପୋର୍ଟ ଦାଖଲ କରିଥିଲା । ଏବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସବ-କମିଟି ଗଠନ ହୋଇଛି । ପରାମର୍ଶଦାତା କମିଟିର ରିପୋର୍ଟକୁ ଏହି ସବ-କମିଟି ଅନୁଧ୍ୟାନ କରିବ । ଏଥିସହିତ ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀଙ୍କର ଭତ୍ତା ଓ ଅନ୍ୟ ସୁବିଧା ଉପରେ ସମୀକ୍ଷା କରିବ ।

ସବ-କମିଟି ସମୀକ୍ଷା କରିବା ପରେ ଏ ନେଇ ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବ । ତା’ପରେ ଦରମା, ପେନସନ ସମ୍ପର୍କିତ ବିଧେୟକ ବିଧାନସଭାରେ ଆସିବ । ନିକଟରେ ସମାପ୍ତ ହୋଇଥିବା ବଜେଟ ଅଧିବେଶନ ସମୟରେ ସମସ୍ତ ରାଜନୈତିକ ଦଳର ବିଧାୟକମାନେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗୃହକୁ ବିଲ ଆସିବା ବାବଦରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହର ନେତାଙ୍କ ସହିତ ଆଲୋଚନା କରିବାକୁ ବାଚସ୍ପତି କହିଥିଲେ ।

ସୂଚନାଯୋଗ୍ୟ ଯେ, ବିଧାୟକଙ୍କର ଦରମା ବୃଦ୍ଧି ନେଇ ବିଧାନସଭାରେ ଏକାଧିକ ଥର ଦାବି କରାଯାଇଥିଲା । ଗତବର୍ଷ ଅଗଷ୍ଟ ମାସରେ ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି ଜଣାଇଥିଲେ । ଏହି ଦାବିକୁ ବିଚାର କରି ସେ ସମୟରେ ବାଚସ୍ପତି ୧୦ ଜଣ ବିଧାୟକଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ ।

ଏହାପରେ ଗତବର୍ଷ ଡିସେମ୍ବର ମାସରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ଦରମା ବୃଦ୍ଧି କମିଟି ବାଚସ୍ପତିଙ୍କୁ ଭେଟି ବିଧାୟକଙ୍କ ଗସ୍ତ ଖର୍ଚ୍ଚ, ଦରମା, ପେନସନ ବୃଦ୍ଧି ସହିତ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧିି କରିବାକୁ ସୁପାରିଶ କରିଥିଲା । ବର୍ତ୍ତମାନ ରାଜ୍ୟର ବିଧାୟକମାନେ ଦରମା ଓ ଭତ୍ତା ବାବଦରେ ୯୯.୮ ହଜାର ପାଉଥିବା ବେଳେ ଏହାକୁ ୩ ଲକ୍ଷକୁ ବୃଦ୍ଧି ପାଇଁ ଦାବି ହୋଇଥିଲା । ସେହପରି ପୂର୍ବତନ ବିଧାୟକଙ୍କ ପେନସନ ୩୦ରୁ ୫୦ ହଜାର, ମେଡିକାଲ ଖର୍ଚ୍ଚ ୨ରୁ ୧୦ ହଜାରକୁ ବୃଦ୍ଧି କରିବାକୁ ଦାବି ହୋଇଥିଲା ।