fbpx

୩୧ ଡିସେମ୍ବର ପୂର୍ବରୁ ସାରିଦିଅନ୍ତୁ ଟ୍ୟାକ୍ସ ସହ ଜଡ଼ିତ ଏହି ୪ଟି କାମ: ନଚେତ୍ ବଢ଼ିଯିବ ସମସ୍ୟା

Advertisement

ନୂଆଦିଲ୍ଲୀ: ଡିସେମ୍ବର ମାସ ଶେଷ ହେବାକୁ କେବଳ ୨ ଦିନ ବାକି ଅଛି । ଯଦି ଆପଣ ଟ୍ୟାକ୍ସ ସହ ଜଡ଼ିତ ଜରୁରୀ କାମ ନସାରନ୍ତି, ତେବେ ଏହି ୨ ଦିନ ମଧ୍ୟରେ ସାରିଦିଅନ୍ତୁ ନଚେତ୍ ଆପଣଙ୍କ ସମସ୍ୟା ଆହୁରି ବଢ଼ିଯିବ । ବିଳମ୍ବ ଶୁଳ୍କ ସହିତ ଆୟକର ରିଟର୍ଣ୍ଣ ଦାଖଲ କରିବା, ସଂଶୋଧିତ ରିଟର୍ଣ୍ଣ ଦାଖଲ କରିବା ଭଳି କାର୍ଯ୍ୟ କରିବାକୁ ଆପଣଙ୍କ ପାଖରେ ବହୁତ କମ୍ ସମୟ ବାକି ଅଛି ।

ବିଳମ୍ବ ଶୁଳ୍କ ସହିତ ଆୟକର ରିଟର୍ଣ୍ଣ :-
ଯଦି ଆପଣ ବର୍ତ୍ତମାନ ସୁଦ୍ଧା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି, ତେବେ ଆପଣ ଏହାକୁ ବିଳମ୍ବ ଶୁଳ୍କ ସହିତ ଶନିବାର ଅର୍ଥାତ୍ ୩୧ ଡିସେମ୍ବର ପର୍ଯ୍ୟନ୍ତ ଦାଖଲ କରିପାରିବେ । ଯଦି ଆପଣଙ୍କର ବାର୍ଷିକ ଆୟ ପାଞ୍ଚ ଲକ୍ଷ ଟଙ୍କାରୁ କମ୍ ରହିଛି, ତେବେ ଆପଣଙ୍କୁ ଜୋରିମାନା ଭାବରେ ଏକ ହଜାର ଟଙ୍କା ଦେବାକୁ ପଡିବ । ଅନ୍ୟପଟେ ଯଦି ଆପଣଙ୍କର ଆୟ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ରହିଛି, ତେବେ ଆପଣଙ୍କୁ ପାଞ୍ଚ ହଜାର ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ପଡିବ । ୧ ତାରିଖ ପରେ ଜୋରିମାନା ପରିମାଣ ବୃଦ୍ଧି ପାଇବ ।

ଆଡଭାନ୍ସ ଟ୍ୟାକ୍ସ କିସ୍ତି :-
ଯଦି ଆପଣଙ୍କୁ ଆଡଭାନ୍ସ ଟ୍ୟାକ୍ସ ଅର୍ଥାତ୍ ଅଗ୍ରୀମ ଟ୍ୟାକ୍ସ ଦେବାକୁ ପଡିବ ଏବଂ ଆପଣ ଧାର୍ଯ୍ୟ ତାରିଖ ଅର୍ଥାତ୍ ୧୫ ଡିସେମ୍ବର ସୁଦ୍ଧା ଟିକସ ଦେଇ ନାହାଁନ୍ତି, ତେବେ ଆପଣଙ୍କ ପାଖରେ ଏହାକୁ ଦାଖଲ କରିବାକୁ ସୁଯୋଗ ଅଛି । ନିୟମ ଅନୁଯାୟୀ, ଏପରି କରଦାତା ଯାହାର ବାର୍ଷିକ ଟ୍ୟାକ୍ସ ୧୦,୦୦୦ ରୁ ଅଧିକ, ଯଦି ସେମାନେ ଡିସେମ୍ବର ୧୫ ସୁଦ୍ଧା ୭୫ ପ୍ରତିଶତ ଅଗ୍ରୀମ ଟ୍ୟାକ୍ସ ଜମା କରିନାହାଁନ୍ତି, ତେବେ ସେମାନଙ୍କ ପରିମାଣ ଉପରେ ଏକ ପ୍ରତିଶତ ସୁଧ ଆଦାୟ କରାଯିବ । ଏହି ନିୟମ ଅଧିନରେ ୭୫ ପ୍ରତିଶତରୁ କମ୍ ଆଡଭାନ୍ସ ଟ୍ୟାକ୍ସ ପ୍ରଦାନ କ୍ଷେତ୍ରରେ ମଧ୍ୟ ଏକ ପ୍ରତିଶତ ସୁଧ ଆଦାୟ କରାଯାଏ ।

ଆୟକର ରିଟର୍ଣ୍ଣରେ ସଂଶୋଧନ :-
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ଯଦି ଆପଣ କୌଣସି ଭୁଲ କରିଛନ୍ତି, ତେବେ ଆପଣ ଏହାକୁ ୩୧ ଡିସେମ୍ବର ସୁଦ୍ଧା ସଂଶୋଧନ କରିପାରିବେ । ଆପଣଙ୍କୁ ୩୧ ଡିସେମ୍ବର ସୁଦ୍ଧା ସଂଶୋଧିତ ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବ । ଯଦି ଆପଣ ସଂଶୋଧିତ ରିଟର୍ଣ୍ଣ ପୂରଣ କରିବାର କାର୍ଯ୍ୟ ନକରନ୍ତି, ତେବେ ଆପଣ ଭୁଲକୁ ସଂଶୋଧନ କରିବାର ସୁଯୋଗ ପାଇବେ ନାହିଁ । ଯଦି ଭୁଲକୁ ସଂଶୋଧନ ନକରାଯାଏ, ତେବେ ଆୟକର ବିଭାଗ ପକ୍ଷରୁ ନୋଟିସ୍ ଆସିବାର ସମ୍ଭାବନା ରହିଛି ।

ଜିଏସଟିଆର-୯ ଦାଖଲ କରିବା :-
ଦ୍ରବ୍ୟ ଏବଂ ସେବା ଟ୍ୟାକ୍ସ ଅର୍ଥତ୍ ଜିଏସଟିରେ ପଞ୍ଜୀକୃତ କରଦାତାଙ୍କୁ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷ ହେବା ପରେ ବାର୍ଷିକ ଜିଏସଟିଆର-୯ ଦାଖଲ କରିବାକୁ ପଡିବ । ଜିଏସଟିଆର -୯ ଟିକସଦାତାମାନଙ୍କ ପାଇଁ ଲାଗୁ ହେବ, ଯାହାର ବାର୍ଷିକ କାରବାର ପାଞ୍ଚ କୋଟିରୁ ଅଧିକ ରହିଛି । ଯଦି ଆବଶ୍ୟକ ହୁଏ ତେବେ ଏକ ସଂଶୋଧିତ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି କାର୍ଯ୍ୟ ପାଇଁ ଶେଷ ତାରିଖ ହେଉଛି ୩୧ ଡିସେମ୍ବର । ଯଦି ଆପଣ ଏହା ପରେ ରିଟର୍ଣ୍ଣ ଦାଖଲ କରନ୍ତି, ତେବେ ଆପଣଙ୍କୁ ପ୍ରତିଦିନ ୨୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏହି ପେନାଲ୍ଟି କାରବାରର ସର୍ବାଧିକ ୦.୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ।

Get real time updates directly on you device, subscribe now.