ଚଳନ୍ତା ସ୍କୁଲ ବସ ଉପରକୁ ଗୁଳି ଚାଳନା, ଇଟା-ପଥର ବି ପକାଇଲେ ଆକ୍ରମଣକାରୀ, ଗାଡିରେ ଥିଲେ ୩୦-୩୫ ପିଲା

ନୂଆଦିଲ୍ଲୀ: ଉତ୍ତରରପ୍ରଦେଶର ଅମରୋହାରେ ଏକ ସ୍କୁଲ ବସ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି, କିନ୍ତୁ ବସ ଉପରେ ହୋଇଥିବା ଗୁଳିଚାଳନାରେ ପିଲାମାନେ ଭୟଭୀତ ହୋଇଛନ୍ତି । ପିଲାମାନଙ୍କ ଅବିଭାବକମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ସୂଚନା ମୁତାବକ, ଅଭିଯୁକ୍ତମାନେ ବସ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରିଛନ୍ତି । ସେମାନେ ଡ୍ରାଇଭରକୁ ଟାର୍ଗେଟ କରିବାକୁ ଚାହୁଁଥିଲେ ବୋଲି କୁହାଯାଉଛି । ଏଥିସହ ସେମାନେ ଇଟା ଏବଂ ପଥର ମାଡ କରିଛନ୍ତି । ହେଲେ ସେମାନେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିନାହାନ୍ତି ଏବଂ ଶିଶୁଙ୍କ ସହ ଡ୍ରାଇଭର ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ଅମରୋହାରେ ସ୍କୁଲ ବସ ପିଲାମାନଙ୍କୁ ଧରି ବିଦ୍ୟାଳୟ ଯାଉଥିଲା । ଏହି ସମୟରେ ନଗଲା ଠାକୁରଦ୍ୱାରା ରୋଡରେ ବାଇକ ଆରୋହୀ ରାସ୍ତା ମଝିରେ ବସକୁ ଅଟକାଇଦେଇଥିଲେ । ଏହି ଦୁର୍ବୃତ୍ତମାନେ ନିଜ ମୁହଁକୁ କପଡାରେ ଗୁଡାଇଦେଇଥିଲେ । ଏହାପରେ ସେମାନେ ବସ ଉପରକୁ ଆକ୍ରମଣ କରିଥିଲେ । ଏହାପରେ ଗୋଟିଏ କିମି ପର୍ଯ୍ୟନ୍ତ ବସକୁ ପିଛା କରିଥିଲେ ଏବଂ ୨ଥର ଗୁଳିଚାଳନା କରିଥିଲେ । ଏହି ବସରେ ୩୦ରୁ ୩୫ ଜଣ ଛାତ୍ରଛାତ୍ରୀ ଥିଲେ । ହେଲେ ସମସ୍ତ ଲୋକେ ସୁରକ୍ଷିତ ଭାବେ ବଞ୍ଚିଗଲେ ।