fbpx

ରାଜ୍ୟର ପ୍ରଥମ ‘Artificial Reef’: ତାପମାତ୍ରା ବୃଦ୍ଧି, ସାମୁଦ୍ରିକ ଝଡ଼, ଜୈବ ବିବିଧତା ନଷ୍ଟ ଆଦିର ମୁକାବିଲା ପାଇଁ ଦୁଇ ବୈଜ୍ଞାନିକଙ୍କ ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମ ବାୟୁମଣ୍ଡଳରେ ଅଙ୍ଗାରକାମ୍ଲର ମାତ୍ର ବଢ଼ିବା କାରଣରୁ ମଣିଷ ସମାଜ ଆଗରେ ଅନେକ ସମସ୍ୟା ଦେଖାଦେଇଛି । ଏହା ଫଳରେ ତାପମାତ୍ରା ବୃଦ୍ଧି ହେବା, ବାରମ୍ବାର ସାମୁଦ୍ରିକ ଝଡ଼ ଆସିବା, ସମୁଦ୍ର ଅମ୍ଲୀକରଣ ହେବା, ଜୈବ ବିବିଧତା ନଷ୍ଟ ହେବା, ମତ୍ସ୍ୟ ଉତ୍ପାଦନ ହ୍ରାସ ପାଇବା, ଇକୋ ସିଷ୍ଟମର ଦ୍ରୁତ ଅବନତି ଘଟିବା ଆଦି ଦେଖାଦେଉଛି । ତେବେ ଏହିସବୁ ସମସ୍ୟାର ମୁକାବିଲା କରିବା ପାଇଁ ଦୁଇଜଣ ବୈଜ୍ଞାନିକ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଦୀନବନ୍ଧୁ ସାହୁ ଓ କିଟ୍ ସିଭିଲ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପିକା ଡ. ସଞ୍ଜୁକ୍ତା ସାହୁ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଦୁଇ ବୈଜ୍ଞାନିକ ଲାବୋରେଟୋରୀରେ ଅନେକ ପ୍ରକାରର ‘ଆର୍ଟିଫିସିଆଲ ରିଫ୍’ ଡିଜାଇନ୍ କରିଥିବା ବେଳ ଦୀର୍ଘଦିନର ପରୀକ୍ଷଣ ପରେ ତାହାକୁ ଓଡ଼ିଶା ଉପକୂଳ ସମୁଦ୍ରରେ ରଖିଥିଲେ । ତେବେ ଏହି ଆର୍ଟିଫିସିଆଲ ରିଫ୍ ସାମୁଦ୍ରିକ ଇକୋସିଷ୍ଟମକୁ ସୁହାଇବା ସହିତ ଏହାଦ୍ୱାରା ପ୍ରବାଳ ଓ ସାମୁଦ୍ରିକ ଜଙ୍ଗଲ ସୃଷ୍ଟି ହେଉଛି । ଏହା ରାଜ୍ୟର ପ୍ରଥମ ଆର୍ଟିଫିସିଆଲ ରିଫ୍ ବୋଲି ସେମାନେ ଦାବି କରିଛନ୍ତି ।

ତେବେ ଏହି ଆର୍ଟିଫିସିଆଲ ରିଫ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା, ଅବକ୍ଷୟ ହୋଇଥିବା ସାମୁଦ୍ରିକ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା, ଜୈବ ବିବିଧିତାକୁ ବୃଦ୍ଧି କରିବାରେ ସହାୟକ ହେବ । ଏହାର ନିର୍ମାଣ ଓ ନିୟୋଜନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆମେରିକା, ଫ୍ରାନ୍ସ, ଜାପାନ, ଚୀନ ପରି ବିଭିନ୍ନ ଦେଶ ସେମାନଙ୍କର ସମୁଦ୍ର ଉପକୂଳରେ ଏପରି ଲକ୍ଷ ଲକ୍ଷ ରିଫ୍ ନିୟୋଜିତ କରିଛନ୍ତି । ଏହାଫଳରେ ସେହିସବୁ ଦେଶମାନଙ୍କରେ ଅର୍ଥନୈତିକ ବିକାଶରେ ଏହା ସହାୟକ ହୋଇପାରୁଛି । ଓଡ଼ିଶାରେ ପାଖାପାଖି ୪୮୦ କିମିର କୋଷ୍ଟାଲ ଲାଇନ୍ ରହିଥିବାରୁ ଏଠାରେ ଆର୍ଟିଫିସିଆଲ ରିଫ୍ ପାଇଁ ଏକ ସମ୍ଭାବ୍ୟ ସ୍ଥାନକୁ ଉପଯୋଗ କରାଯାଇ ପାରିବ । ଏହା ସାମୁଦ୍ରିକ ଢେଉର ପ୍ରକୋପକୁ ହ୍ରାସ କରିବା ସହିତ ରାଜ୍ୟ ଉପକୂଳକୁ ସାମୁଦ୍ରିକ ଝଡ଼ ଦାଉରୁ ରକ୍ଷା କରିବାରେ ସହାୟକ ହେବ । ଏଥିସହିତ ଉପକୂଳବର୍ତ୍ତୀ ସମ୍ପ୍ରଦାୟଙ୍କ ପାଇଁ ନିଯୁକ୍ତି ଓ ଉନ୍ନତ ଜୀବିକା ସୃଷ୍ଟି କରିବାରେ ସହାୟକ ହୋଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.