fbpx

ଦେଶରେ ଚିହ୍ନଟ ହେଲେ କରୋନାର XE Variantର ପ୍ରଥମ ରୋଗୀ

ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ ଏକ୍ସଇ ଭାରିଆଣ୍ଟ ଉପରେ ଏବେ ସମସ୍ତଙ୍କର ନଜର ରହିଛି । ତେବେ ଏହା ମଧ୍ୟରେ ଗତ ବୁଧବାର ଦିନ ମୁମ୍ବାଇରୁ ଏକ୍ସଇ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାର ନମୂନା ଭାରିଆଣ୍ଟର ଜେନୋମିକ୍ ପିକଚର ସହିତ ମ୍ୟାଚ କରୁନଥିବା କେନ୍ଦ୍ର ସରକାର ଘୋଷଣା କରିଥିଲେ ।

ତେବେ ଆଜି ଗୁଜୁରାଟରୁ ଏକ୍ସଇ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଛି । ସଂକ୍ରମିତ ହୋଇଥିବା ଯୁବକ ଜଣଙ୍କ ଗତ ମାସ ୧୩ ତାରିଖରେ କୋଭିଡ୍ ପଜିଟିଭ୍ ହୋଇଥିଲେ । ପରବର୍ତ୍ତୀ ଏକ ସପ୍ତାହ ପର୍ଯ୍ୟନ୍ତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକଠାକ୍ ଥିଲା । ମାତ୍ର ପରେ ଯୁବକ ଜଣଙ୍କ ଏକ୍ସଇ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ସାମ୍ପୂଲ ଟେଷ୍ଟିଂ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ।

କୋଭିଡର ଏହି ନୂଆ ଭାରିଆଣ୍ଟକୁ ସବୁଠାରୁ ସଂକ୍ରାମକ ବୋଲି କୁହାଯାଉ ଥିବାରୁ ଏହା ନିଶ୍ଚିତ ଭାବେ ଚିନ୍ତାଜନକ । ବିଏ.୨ ଭାରିଆଣ୍ଟ ଠାରୁ ଏକ୍ସଇ ଭାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଏକ୍ସଇ ଭାରିଆଣ୍ଟ ହେଉଛି ଓମିକ୍ରନର ଏକ ସବ୍ ଭାରିଆଣ୍ଟ । ବର୍ତ୍ତମାନ ସୁଦ୍ଧା ଏହାକୁ ବିପଜ୍ଜନକ ଭାବେ ବିବେଚନା କରାଯାଉ ନାହିଁ । ମାତ୍ର ଏହା ବ୍ୟାପିପାରେ ବୋଲି ଆଶଙ୍କା କରାଯାଉଛି । ଏହା ମଧ୍ୟରେ ଦେଶରେ ଏକ୍ସଇ ଭାରିଆଣ୍ଟର ଯେଉଁ ଦୁଇଟି ମାମଲା ସାମ୍ନାକୁ ଆସିଛି, ସେଥିରେ କୌଣସି ଲକ୍ଷଣ ଦେଖାଯାଉନାହିଁ । ଏହି କାରଣରୁ ଭୟଭୀତ ନ ହେବାକୁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.