fbpx

ଓଡ଼ିଶାରେ ହେବ ଦେଶର ପ୍ରଥମ ଥଇଥାନ କଲୋନୀ: ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କର ସାମୂହିକ ବିକାଶ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଗତ ୨୭ ଓ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ୫ଟି ସଚିବ ଭି.କେ ପାଣ୍ଡିଆନ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ । ସାତଭାୟା ବଗପାଟିଆ ଥଇଥାନ କଲୋନୀ ଆଦର୍ଶ କଲୋନୀ ହେବ । ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ଲୋକଙ୍କ ପାଇଁ ଏହା ଦେଶର ପ୍ରଥମ ଥଇଥାନ କଲୋନୀ ଭାବେ ପରିଗଣିତ ହେବ ବୋଲି ଜଣାପଡ଼ିଛି ।

ତେବେ ୫ଟି ସଚିବ ଏହି ଗସ୍ତ ଅବସରରେ କ୍ଷେତ୍ର ପରିଦର୍ଶନ କରିବା ସହ ପ୍ରଥମ ପର୍ଯ୍ୟାୟରେ ୨୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୫ଟି ଉପକ୍ରମ ଅନୁସାରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ପ୍ରକଳ୍ପର ବିକାଶ କାର୍ଯ୍ୟ ଶେଷ ହେବ । ଏଥିସହିତ ପଞ୍ଚୁ ବରାହୀ ପୀଠକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରାଯିବ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ବିସ୍ଥାପିତ ଲୋକଙ୍କୁ ଭେଟିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାତଭାୟାର ବହୁ ଅଞ୍ଚଳ ସମୁଦ୍ର ଦ୍ୱାରା କ୍ଷୟ ହୋଇଯାଇ ଥିବାରୁ କ୍ଷତିଗ୍ରସ୍ତଙ୍କୁ ବଗପାଟିଆରେ ଥଇଥାନ କରାଯାଉଛି । ଏହି ବ୍ୟୟବରାଦ ଅର୍ଥରେ ଅଞ୍ଚଳରେ ବନ୍ଧବାଡ଼ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଏଥିସହିତ ବାସଗୃହ, ଜୀବିକା, ରାସ୍ତା, ବିଜୁଳି ଓ ପଞ୍ଚାୟତ ଗୃହର ଭିତ୍ତିଭୂମି ବିକାଶ କରାଯିବ । ଏଥିସହିତ ପ୍ରସିଦ୍ଧ ପଞ୍ଚୁ ବରାହୀ ପୀଠର ଭିତ୍ତିଭୂମିକୁ ବିକାଶ କରାଯିବା ସହ ସୌନ୍ଦର୍ଯ୍ୟକରଣ କରାଯିବ । ସେଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନେଇ ପ୍ରୟାସ କରାଯିବ । ଏହି ଗସ୍ତ କାର୍ଯ୍ୟକ୍ରମ ସାରି ଶ୍ରୀ ପାଣ୍ଡିଆନ ଭୁବନେଶ୍ୱର ଫେରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।

Get real time updates directly on you device, subscribe now.