ନୂଆଦିଲ୍ଲୀ: ଆକାଶରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭୌଗୋଳିକ ଘଟଣା ମାନ ଘଟିଥାଏ । ଯେପରି ଉଲକା ପିଣ୍ଡ ଖସିବା, ବର୍ଷା, ଗ୍ରହଣ ଲାଗିବା ଓ ଅନ୍ୟାନ୍ୟ ଗ୍ରହ ଗୁଡ଼ିକର ଗତିବିଧି ଆମ ସାମନାକୁ ଆସିଥାଏ । ଆଜି ଆମେ ୨୦୨୨ ରେ ହେବାକୁ ଥିବା କିଛି ସୌରମଣ୍ଡଳୀୟ ତଥା ଭୌଗୋଳିକ ଘଟଣା ସମ୍ପର୍କରେ ଜାଣିବା । ତେବେ ଚଳିତ ବର୍ଷ ପ୍ରଥମରୁ ହିଁ ଏହି ଘଟଣା ମାନ ଆରମ୍ଭ ହୋଇଯିବ । ହେଲେ ଭାରତରେ ଏହାର କିପରି ପ୍ରଭାବ ରହିବ ସେ ସମ୍ପର୍କରେ ଚାଲନ୍ତୁ ଜାଣିବା ।
୨୦୨୨ର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ୍ ୩୦ ରେ ପଡ଼ିବାକୁ ଯାଉଛି । ହେଲେ ଏହା ଆଂଶିକ ରହିବ ଓ ଭାରତ ଉପରେ ଏହାର କୌଣସି ପ୍ରକାର ବିଶେଷ ପ୍ରଭାବ ରହିବ ନାହିଁ । ଏହାସହିତ ଭାରତରେ ଏହା ଦେଖା ମଧ୍ୟ ଯିବନାହିଁ । ଏହି ଆଂଶିକ ସୂର୍ଯ୍ୟ ପରାଗ ଅଧିକାଂଶ ଦକ୍ଷିଣ ଆମେରିକା ଓ ଆର୍ଜେଣ୍ଟିନାରେ ଦେଖାଯିବ ।
ସେହିପରି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ ମାସ ୧୬ ତାରିଖରେ ପଡ଼ିବ । ସୂର୍ଯ୍ୟପରାଗ ପରି ଚନ୍ଦ୍ରଗ୍ରହଣର ପ୍ରଭାବ ମଧ୍ୟ ଭାରତରେ ଉପରେ ରହିବ ନାହିଁ । ଏହା ମଧ୍ୟ ଦେଶରେ ଆଂଶିକ ହିଁ ରହିବ । ଦ୍ୱିତୀୟ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ତାରିଖରେ ଦେଖିବାକୁ ମିଳିବ । ଏହା ଭାରତର ଉତ୍ତର ପୂର୍ବ ଅଞ୍ଚଳ ଯେପରିକି ପଶ୍ଚିିମ ବେଙ୍ଗଲ୍, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଉତ୍ତର ପ୍ରଦେଶରେ ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହେବ ।
ଏହାସହିତ ଏକ ସୁପର୍ ମୁନ୍ ମଧ୍ୟ ଭାରତରେ ଦେଖାଯିବ । ଏହି ସୁପର୍ ମୁନ୍ ଜୁନ୍ ୧୪ ତାରିଖ ସନ୍ଧ୍ୟା ୫ଟା ୨୨ ମିନିଟ୍ ରେ ଦେଖାଦେବ । ଏହି ଦିନ ଚନ୍ଦ୍ର ନିଜର ସମ୍ପୂର୍ଣ୍ଣ ଆକାରରେ ଦୃଶ୍ୟମାନ ହେବ ଅର୍ଥାତ୍ ପୂର୍ଣ୍ଣିମା ହେବ ଏବଂ ପୃ୍ଥିବୀର ସବୁଠାରୁ ନିକଟତର ହେବ । ଏହା ପୁଣିଥରେ ଜୁଲାଇ ୧୪ ତାରିଖରେ ଦେଖାଯିବ ।