fbpx

ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ପ୍ରଥମ ଥର ବିଶ୍ୱରେ ଏକ ନମ୍ବର ସ୍ଥାନ ହାସଲ କଲା ଭାରତ

ନୂଆଦିଲ୍ଲୀ: ନିକଟରେ ଏସିଆନ ଗେମ୍ସରେ ଭାରତୀୟ କ୍ରୀଡ଼ାବିତମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରି ଚୀନର ହ୍ୱାଙ୍ଗଝୁରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ । ତେବେ ଏହା ମଧ୍ୟରେ କ୍ରୀଡ଼ା ଜଗତରୁ ଆସିଛି ପୁଣି ଏକ ଖୁସି ଖବର । ପୁଣି ଚମକିଛନ୍ତି ଭାରତୀୟ ଯୋଡ଼ି ସାତ୍ୱିକ ଚିରାଗ-ସାତ୍ୱିକସାଇରାଜ ରିଙ୍କିରେଡ୍ଡୀ । ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତ ବିଶ୍ୱରେ ଏକ ନମ୍ବର ରାଙ୍କ ହାସଲ କରିଛି । ଏନେଇ ଅଫିସିଆଲ ଭାବେ ଘୋଷଣା କରାଯାଇଛି ।

ପ୍ରଥମ ଭାରତୀୟ ଯୋଡ଼ି ହିସାବରେ ଚିରାଗ-ସାତ୍ୱିକ ଏହି ସଫଳତା ପାଇଛନ୍ତି । ତାଙ୍କ ପୂର୍ବରୁ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ, ସାଇନା ନେହୱାଲ ଓ କିଦାମ୍ବୀ ଶ୍ରୀକାନ୍ତ ଏହି ସ୍ଥାନ ଅଳଙ୍କୃତ କରିଥିଲେ । ଚତୁର୍ଥ ଭାରତୀୟ ହିସାବରେ ଭାରତୀୟ ଯୋଡ଼ି ଏହି ଇତିହାସ ରଚିଛନ୍ତି । ନିକଟରେ ଚୀନର ହ୍ୱାଙ୍ଗଝୁଠାରେ ସମାପ୍ତ ହୋଇଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଯୋଡ଼ିଙ୍କ ଶାନଦାର ପ୍ରଦର୍ଶନ ପରେ ସେମାନଙ୍କର ରାଙ୍କିଂରେ ଅଦ୍ଭୁତପୂର୍ବ ଉନ୍ନତି ପରିଲକ୍ଷିତ ହୋଇଛି ।

ଏହି ରାଙ୍କିଂରେ ଚିରାଗ-ସାତ୍ୱିକ ୯୨୪୧୧ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଥିବା ଇଣ୍ଡୋନେସିଆର ଫଜର ଅଲଫିଆନ- ମୁହମ୍ମଦ ରିଆନ ଆଡ୍ରିଆଣ୍ଟୋ ଯୋଡ଼ି ୯୦୧୨୯ ପଏଣ୍ଟ ଓ ତୃତୀୟ ସ୍ଥାନରେ ରହିଥିବା ଚୀନର ଲିଆଙ୍ଗ ୱେଇ କେଙ୍ଗ- ୱାଙ୍ଗ ଚାଙ୍ଗ ଯୋଡ଼ି ୮୯୯୯୧ ପଏଣ୍ଟ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ଉଦଯାପିତ ହୋଇଥିବା ଏସୀୟ କ୍ରୀଡ଼ାରେ ଚିରାଗ-ସାତ୍ୱିକ ଯୋଡ଼ି ପ୍ରତିପକ୍ଷ ଦକ୍ଷିଣ କୋରିଆର ସୋଲ ଗ୍ୟୁ ଓ କି ଓନ ହୋ ଯୋଡ଼ିଙ୍କୁ ୨୧-୧୮, ୨୧-୧୬ ସେଟରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

Get real time updates directly on you device, subscribe now.