fbpx

ନୂଆବର୍ଷରେ ବଢ଼ୁଛି ଦୈନିକ ସଂକ୍ରମଣ: ଆଜି ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ପୁରୁଣା ବର୍ଷ ବିଦାୟ ନେଇ ନୂଆବର୍ଷ ୨୦୨୪ ପାଦ ଦେଇଥିଲେ ବି କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ନିସ୍ତାର ମିଳିପାରି ନାହିଁ । ଗତ ଦୁଇଦିନ ଧରି ରାଜ୍ୟରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରୁ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୨୭ରେ ପହଞ୍ଚିଛି ।

ବର୍ତ୍ତମାନ ସମୟରେ ନୂଆବର୍ଷ ଅବସରରେ ସମସ୍ତେ ସାଙ୍ଗସାଥୀ, ବନ୍ଧୁ ପରିଜନଙ୍କ ସହିତ ଭୋଜିଭାତ ଓ ପିକନିକରେ ମସଗୁଲ ରହିଥିବା ବେଳେ କରୋନା ନିୟମ ମାନିବା ଆବଶ୍ୟକ । ନଚେତ୍ ଆଗକୁ ସଂକ୍ରମଣ ବଢ଼ିପାରେ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ପୂର୍ବରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଥିଲେ । ଗତକାଲି ମଧ୍ୟ ରାଜ୍ୟରୁ ୫ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯିବା ସହ ଭୟଭୀତ ନ ହେବାକୁ ପୂର୍ବରୁ ପରାମର୍ଶ ଦିଆଯାଇଥିଲା । କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ପୂର୍ବରୁ ରାଜ୍ୟର ସମସ୍ତ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଚିଠି ଲେଖି କରୋନା ନିୟମାବଳୀ ମାନିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଥିଲା । ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଲାଗି ରହୁଛି ସେମାନେ ପୃଥକ୍ ଭାବେ ରହିବା ସହିତ ପରୀକ୍ଷା କରାଇବାକୁ କୁହାଯାଇଛି । ଏଥିସହିତ ବହୁବିଧ ରୋଗୀମାନେ ଭିଡ଼କୁ ନ ଯିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଥିଲେ ।

Get real time updates directly on you device, subscribe now.