ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବରେ ବାଜିଲା ମୋହର: ସରକାରୀ ଚାକିରି ପାଇଁ ବୟସ ସୀମା ବଢ଼ିବା ସହ…

ଭୁବନେଶ୍ୱର,୨୮ା୫:  ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବ ଉପରେ ବୁଧବାର ବାଜିଛି ମୋହର । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଲୋକସେବା ଭବନରେ ଆଜି ସନ୍ଧ୍ୟାରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ସିଭିଲ ସର୍ଭିସ୍(ଓଏଏସ୍ ) ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କ ବୟସ ୩୨ ଥିବାବେଳେ ଏବେ ତାହା କୋହଳ କରାଯାଇ ୪୨ କରାଯାଇଛି ।  ଏହି ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜାତି (ଏସି) ଅନୁସୂଚିତ ଜନଜାତି(ଏସଟି) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (ଏସଇବିସି), ମହିଳା ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଉପକୃତ ହେବେ । ୟୁନିଫର୍ମ ସେବା ବ୍ୟତୀତ ଅନ୍ୟ ସମସ୍ତ ଚାକିରି ପାଇଁ ବୟସ ସୀମା ବୃଦ୍ଧି ହୋଇଛି ।

ଏଥିସହିତ AI ନୀତିକୁ ଅନୁମୋଦନ ମିଳିଛି । ରାଜ୍ୟରେ AI କୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦିଆଯିବ।  AI ମିଶନ ଓ AI ସେଲ ଆରମ୍ଭ କରାଯିବ। AI କ୍ଷେତ୍ରରେ ସ୍ଟାଟପକୁ ପ୍ରୋତ୍ସାହନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମା ଗାଦିର ଉନ୍ନତିମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ ନିର୍ମାଣକୁ ଅନୁମୋଦନ ମିଳିଛି । ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।  ଏଥିପାଇଁ ୧୭୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଜଗତସିଂହପୁରରେ ଥିବା JSW ନିର୍ମାଣ କରିବ ନିଜସ୍ୱ ଜେଟି। ଏଥି ପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।  ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମିଳିବ।

ସେହିପରି ଓଡିଶା ଚକ୍ଷୁ ସେବା ପାଇଁ ପାଇଁ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତି ଭିତରେ ୨୦୦ଟି ପଦବୀ ସୃଷ୍ଟି କରାଯାଇଛି।

ଆଜିର ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।