ନୂଆଦିଲ୍ଲୀ : ବିଶ୍ବରେ ଖାଦ୍ୟ ସାମଗ୍ରୀର ଦର ବହୁମାତ୍ରାରେ ବଢ଼ିବାରେ ଲାଗିଛି। ଅକ୍ଟୋବର ମାସରେ ବିଶ୍ବରେ ଖାଦ୍ୟ ସାମଗ୍ରୀର ଦର ଗତ ୧୮ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଜାତିସଂଘର ବିଶ୍ବ ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ରିପୋର୍ଟରୁ ଏହା ଜଣାଯାଇଛି। ଖାଇବା ତେଲ ଦରରେ ଅତ୍ୟଧିକ ବୃଦ୍ଧି ଘଟିଛି। ଏହାର ପ୍ରଭାବ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ପଡ଼ିଛି।
ଏଫଏଓ ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ସୂଚୀରୁ ଜଣାଯାଇଛି ଯେ ସେପ୍ଟେମ୍ବରର ସଂଶୋଧିତ ସୂଚୀ ୧୨୪.୯ ପଏଣ୍ଟ ଥିବାବେଳେ ଅକ୍ଟୋବରରେ ୧୨୭.୪ ପଏଣ୍ଟରେ ପହଞ୍ଚିଛି। ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଏହି ସୂଚୀରେ ୨ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ଗତବର୍ଷ ଅକ୍ଟୋବର ତୁଳନାରେ ଏହା ୫.୫ ପ୍ରତିଶତ ବୃଦ୍ଧି ଘଟିଛି।
ମାଂସକୁ ବାଦ୍ଦେଲେ ଅନ୍ୟାନ୍ୟ ସମସ୍ତ ଖାଦ୍ୟ ବର୍ଗର ଦର ସୂଚୀ ବୃଦ୍ଧି ଘଟିଛି। ବନସ୍ପତି ତେଲ ଦର ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ସର୍ବାଧିକ ୭.୩ ପ୍ରତିଶତ ବୃଦ୍ଧି ହୋଇଛି। ପାମ୍ ତେଲ ଉତ୍ପାଦନ ପ୍ରଭାବିତ ହେବା ଚିନ୍ତାରେ ଏପରି ହୋଇଛି। ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଶସ୍ୟ ଦାମରେ ମଧ୍ୟ ୦.୮ ପ୍ରତିଶତ ବୃଦ୍ଧି ଘଟିଛି। ଦୁଗ୍ଧଜାତୀୟ ସାମଗ୍ରୀ ଦରରେ ପାଖାପାଖି ୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଚାହିଦା ତୁଳନାରେ ଯୋଗାଣ କମ୍ ରହିବା ଦ୍ବାରା ଏହା ହୋଇଛି। ଅନ୍ୟପକ୍ଷରେ ମାଂସ ଦର ୦.୩ ପ୍ରତିଶତ କମିଛି।
ଏଫ୍ଏଓ ପକ୍ଷରୁ ପ୍ରସ୍ତୁତ ଶସ୍ୟ ମୂଲ୍ୟ ସୂଚୀ ଅକ୍ଟୋବରରେ ୧୧୪.୪ ପଏଣ୍ଟ ରହିଛି। ସେପ୍ଟେମ୍ବର ତୁଳନାରେ ଏହା ୦.୮ ପ୍ରତିଶତ ଅଧିକ। ଏଥିସହିତ ବିଶ୍ବରେ କ୍ରମାଗତ ଦ୍ବିତୀୟ ମାସ ପାଇଁ ଗହମ ମୂଲ୍ୟ ବୃଦ୍ଧି ପାଇଛି। ବିଶ୍ବର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ପ୍ରମୁଖ ଗହମ ଉତ୍ପାଦନକାରୀ ଦେଶରେ ପ୍ରତିକୂଳ ପାଣିପାଗ ଯୋଗୁ ବୁଣାବୁଣି ବାଧାପ୍ରାପ୍ତ ହୋଇଛି। ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ୟୁରୋପୀୟ ସଂଘ, ରୁଷ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଆଦି ରହିଛି। ଏଥିସହିତ ରୁଷ୍ରେ ପୁନର୍ବାର ବେସରକାରୀଭାବେ ଗହମର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯିବା ଏବଂ କୃଷ୍ଣ ସାଗର ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ଫଳରେ ଦରଦାମ ବୃଦ୍ଧି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି। ସେହିଭଳି ବ୍ରାଜିଲରେ ମକା ଚାହିଦା ଅତ୍ୟଧିକ ରହିବା ସହିତ ଦେଶର କେତେକ ନଦୀରେ ଜଳସ୍ତର କମ୍ ରହିବା କାରଣରୁ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ମଧ୍ୟ ଅକ୍ଟୋବର ମାସର ଦରଦାମ ଉପରେ ଅନୁଭୂତ ହୋଇଛି। ଆର୍ଜେଣ୍ଟିନାରେ ବର୍ଷାର ଅଭାବ ମଧ୍ୟ ମକା ଉତ୍ପାଦନକୁ ପ୍ରଭାବିତ କରିଛି। କିନ୍ତୁ ଏଫ୍ଏଓ ଚାଉଳ ଦର ସୂଚୀ ଅକ୍ଟୋବରରେ ୫.୬ ପ୍ରତିଶତ ହ୍ରାସ ପାଇଛି।
ଏଫ୍ଏଓ ଏହାର ଅନ୍ୟ ଏକ ରିପୋର୍ଟରେ ୨୦୨୪ରେ ବିଶ୍ବରେ ଶସ୍ୟ ଉତ୍ପାଦନ ନେଇ ପୂର୍ବରୁ ଯେଉଁ ଆକଳନ କରିଥିଲା ସଦ୍ୟ ଆକଳନରେ ତାହା ହ୍ରାସ ପାଇବ ବୋଲି ଦର୍ଶାଇଛି। ପୂର୍ବ ଆକଳନରେ ଚଳିତବର୍ଷ ବିଶ୍ବର ଶସ୍ୟ ଉତ୍ପାଦନ ୨.୮୫୩ ବିଲିଅନ ମେଟ୍ରିକ ଟନ୍ ରହିବା ନେଇ ଆକଳନ କରାଯାଇଥିଲା। କିନ୍ତୁ ନୂଆ ଆକଳନରେ ଏହା ୨.୮୪୮ ବିଲିଅନ ମେଟ୍ରିକ ଟନ୍ ରହିବା ନେଇ କୁହାଯାଇଛି।