ନୂଆଦିଲ୍ଲୀ: ଭାରତୀୟ କିକ୍ରେଟ ଟିମର ପୂର୍ବତନ ଖେଳାଳୀ ଦିନେଶ ମୋଙ୍ଗିଆ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । କ୍ରିକେଟ ପରେ ଏବେ ଦିନେଶ ରାଜନୀତିର ପିଚରେ ବିଜେପି ପାଇଁ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିବ ।
ତେବେ ଦିନେଶ ମୋଙ୍ଗିଆ ୨୦୧୯ ସେପ୍ଟେମ୍ବର ୧୭ ତାରିଖରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଟିମ୍ ଇଣ୍ଡିଆରେ ଅଲରାଉଣ୍ଡର ଭାବେ ଦିନେଶ ମନୋନୀତ ହୋଇଥିଲେ । ଦିନେଶ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଓ ସ୍ପିନ ବୋଲର ଥିଲେ । ୨୦୦୩ରେ ଭାରତୀୟ ଟିମର ବିଶ୍ୱକପ୍ ଟିମରେ ଥିଲେ ଦିନେଶ । ପ୍ରାୟ ୫ ବର୍ଷ ଧରି ସେ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ସେ ପ୍ରଥମେ ଡେବ୍ୟୁ କରିଥିଲେ । ୨୦୦୧ରେ ପ୍ରଥମଥର ପାଇଁ ମୋଙ୍ଗିଆ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।
ଖେଳ ସହିତ ଦିନେଶ ମୋଙ୍ଗିଆ ଗୋଟିଏ ଫିଲ୍ମରେ ବି କାମ କରିଛନ୍ତି । ୨୦୧୪ ମସିହାରେ ‘କବାବ୍ ମେ ହଡ୍ଡି’ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ଫ୍ଲପ୍ ଥିଲା, ଫଳରେ ଦିନେଶଙ୍କ ଅଭିନୟ କ୍ୟାରିୟର ସେଠାରେ ଅଟକି ଯାଇଥିଲା ।