ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଦେବେନ୍ଦ୍ର ସିଂ ଆଉ ନାହାନ୍ତି । ୮୨ ବର୍ଷ ବୟସରେ ଏହି ଫୁଟବଲ କିମ୍ବଦନ୍ତୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଜଣେ ଦକ୍ଷ ଫୁଟବଲ ଖେଳାଳି ଭାବେ ଦେବେନ୍ଦ୍ର ବେଶ୍ ପରିଚୟ ହାସଲ କରିପାରିଥିଲେ । ସେ ବହୁଦିନ ଧରି ଜାତୀୟ ଦଳରେ ପ୍ରତିନିଧିତ୍ୱ କରିବା ସହ ସନ୍ତୋଷ ଟ୍ରଫିରେ ଓଡ଼ିଶା ତରଫରୁ ଅଧିନାୟକ ରହିଥିଲେ । ତାଙ୍କର ବିୟୋଗରେ କ୍ରୀଡ଼ା ଜଗତ ସହ ଜଡ଼ିତ ଅନେକ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
୨୦୧୮ ମସିହାରେ ଦେବେନ୍ଦ୍ରଙ୍କୁ ଓଡ଼ିଶା ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟିସ ଆସୋସିଏସନ (ଓସଜା) ତରଫରୁ ପ୍ରତିଷ୍ଠା ଦିବସରେ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ‘ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ନିଜ ପରିବାରରେ ପତ୍ନୀ, ଦୁଇ ପୁଅ ଓ ଜଣେ ଝିଅଙ୍କୁ ଛାଡ଼ି ଦେବେନ୍ଦ୍ର ଇହଲୀଳା ସମ୍ବରଣ କରିଛନ୍ତି । ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ) ସମେତ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତରଫରୁ ଏନେଇ ଶୋକ ପ୍ରକାଶ କରାଯାଇଛି । ଦେବେନ୍ଦ୍ରଙ୍କ ପୁଅ ରାଜେନ୍ଦ୍ର ପ୍ରତାପ ସିଂ ମଧ୍ୟ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଖେଳାଳି ଅଟନ୍ତି ।