fbpx

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ନାନାବତୀଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଜିଟି ନାନାବତୀ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ୧୯୩୫ ମସିହାରେ ଜନ୍ମଗ୍ରହଣ କରିଥିବା ନାନାବତୀ ୧୯୫୮ରେ ବମ୍ବେ ହାଇକୋର୍ଟରୁ ତାଙ୍କର ଓକିଲାତି ଜୀବନ ଆରମ୍ଭ କରିଥିଲେ । ୧୯୭୯ରେ ତାଙ୍କୁ ଗୁଜରାଟ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ୧୯୯୩ରେ ସେ ଓଡ଼ିଶା ହାଇକୋର୍ଟକୁ ଟ୍ରାନ୍ସଫର ହୋଇ ଆସିଥିଲେ । ସେ ଓଡ଼ିଶା, ଗୁଜରାଟ ଓ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣଙ୍କ ସମେତ ବହୁ ବ୍ୟକ୍ତି ଦୁଃଖପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୮୪ରେ ଘଟିଥିବା ବହୁଚର୍ଚ୍ଚିତ ଶିଖ୍ ବିରୋଧୀ ଦଙ୍ଗାର ତଦନ୍ତ ପାଇଁ ଜଣିକିଆ କମିସନର ସେ ଅଧ୍ୟକ୍ଷ ରହିଥିଲେ । ଏଥିସହ ୨୦୦୨ରେ ଗୁଜରାଟରେ ଘଟିଥିବା ଗୋଧ୍ରା ଦଙ୍ଗାର ତଦନ୍ତ ପାଇଁ ସେ ଗଠିତ କମିଟିର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । ସୂଚନାଯୋଗ୍ୟ ଯେ, ୨୦୦୨ ଫେବୃଆରୀ ୨୭ରେ ସାବରମତୀ ଏକ୍ସପ୍ରେସରେ ନିଆଁ ଲାଗି ମୋଟ ୫୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗୁଜରାଟରେ ଭୀଷଣ ଦଙ୍ଗା ଆରମ୍ଭ ହୋଇ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.