ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କିଏ ହେବ ? ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ଟ କହିଛନ୍ତି ଭାରତକୁ ନିକଟ ଭବିଷ୍ୟତରେ ଅଧିନାୟକ ପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସେ କହିଛନ୍ତି, ଯେବେ ବି ଭାରତୀୟ ଦଳରେ ଅଧିନାୟକ ଆବଶ୍ୟକ ପଡିବ ତେବେ ଦଳରେ ବହୁତ ବିକଳ୍ପ ଅଛନ୍ତି ।
ସେ ଏହି ପଦ ପାଇଁ ତିନି ଜଣ ଭାରତୀୟ ଖେଳାଳିଙ୍କ ନାମ ଖୁଲାସା କରିଛନ୍ତି ଯେଉଁମାନେ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ସମ୍ଭାଳିବାକୁ ସକ୍ଷମ । ରୋହିତ ଶର୍ମା, ଋଷଭ ପନ୍ତ କିମ୍ବା ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ ଜଣେ ଭାରତୀୟ ଦଳର ନେତୃତ୍ୱ ନେଇ ପାରନ୍ତି ବୋଲି ବଟ୍ଟ କହିଛନ୍ତି ।
ସେ କହିଛନ୍ତି, ମୁଁ ଘରୋଇ କ୍ରିକେଟରେ ରେକର୍ଡ ବିଷୟରେ ଜାଣି ନାହିଁ, ମାତ୍ର ଆଇପିଏଲରେ ଦେଖିଛି ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପନ୍ତଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି । ଏହାର ଅର୍ଥ ବିସିସିଆଇ ପାଖରେ ଭବିଷ୍ୟତକୁ ନେଇ କୌଣସି ଯୋଜନା ନିଶ୍ଚୟ ରହିଛି । କୋହଲି ଏବେ ଆହୁରି ୮-୯ ବର୍ଷ କ୍ରିକେଟ୍ ଖେଳିବେ।
ବଟ୍ଟ ରୋହିତ ଶର୍ମାଙ୍କ ପ୍ରଶଂସା କରି କହିଛନ୍ତି ଯେ, ରୋହିତ ଜଣେ ଦମଦାର ଅଧିନାୟକ । ଯେଉଁଭଳି ସେ ଯୋଜନା ପ୍ରସ୍ତୁତ କରନ୍ତି ଏବଂ ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ରଖନ୍ତି ତାହା ବାସ୍ତବରେ ପ୍ରଶଂସନୀୟ । ବଟ୍ଟ ଆଜିଙ୍କ୍ୟ ରାହାଣେଙ୍କ ପ୍ରତି ମଧ୍ୟ ବହୁତ ପ୍ରଭାବିତ । ବିଶେଷ କରି ଟେଷ୍ଟ କ୍ରିକେଟରେ ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକ ନେଇ ବଟ୍ଟ ପ୍ରଶଂସା କରିଛନ୍ତି ।
ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ଦଳର ନେତୃତ୍ୱ ନେଇଥିଲେ । ସିରିଜରେ ସେ ସଠିକ୍ ନିଷ୍ପତି ନେଉଥିଲେ । ଅନେକ ବଡ ଖେଳାଳିଙ୍କ ଅନୁପସ୍ଥିତିର ପ୍ରଭାବ ଦଳ ଉପରେ ପଡିବାକୁ ଦେଇନଥିଲେ । ତେଣୁ ରାହାଣେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ହେବାକୁ ଫିଟ୍ ବୋଲି ବଟ୍ଟ କହିଛନ୍ତି ।