ମୋଦୀ ସରକାରଙ୍କ ବଡ ଘୋଷଣା, ରାଜଘାଟରେ ନିର୍ମାଣ ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ

ନୂଆଦିଲ୍ଲୀ:  ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ସ୍ଥଳ । କେନ୍ଦ୍ରସରକାର ସ୍ମାରକୀ ନିର୍ମାଣ ପାଇଁ ସ୍ମୃତି ସ୍ଥଳରେ ଗୋଟିଏ ଜମିକୁ ଅନୁମୋଦନ କରିଛନ୍ତି । ଦେହାନ୍ତର 4 ବର୍ଷ ପରେ କେନ୍ଦ୍ର ସରକାର ସମାଧି ସ୍ଥଳ ପାଇଁ ଜମି ଦେଇଛନ୍ତି । ୨୦୧୨ରୁ ୨୦୧୭ ଯାଏ ପ୍ରଣବ ମୁଖାର୍ଜୀ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ।

ପ୍ରକାଶଥାଉକି, ୨୦୨୦ ମସିହା ଅଗଷ୍ଟ ମାସରେ ଦିବଙ୍ଗତ ପ୍ରଣବ ମୁଖାର୍ଜୀଙ୍କର ଦେହାନ୍ତ ହୋଇଥିଲା । ବର୍ତ୍ତମାନ ସରକାର ଅନୁମୋଦନ ଦେଇଥିବା ନେଇ ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା ଜାଣାଶୁଣା ଲେଖିକା ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ଶର୍ମିଷ୍ଠା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ପାଇଁ ମୁଁ ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଦୟାଭାବ ଏବଂ କୃତଜ୍ଞତାରେ ମୁଁ ଅଧିକ ପ୍ରଭାବିତ । ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଲ୍ୟାଣ୍ଡ ଓ ଡେଭଲପମେଣ୍ଟ ଅଫିସ ପକ୍ଷରୁ ୧ ତାରିଖରୁ ଜମି ଆବଣ୍ଟନ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।