ଦୁଇ ମାସରେ ୪ଟି ଚିତା ପ୍ରାଣ ହରାଇଲେଣି: କାହିଁକି ଭାରତରେ ଚିତା ମୃତ୍ୟୁବରଣ କରୁଛନ୍ତି, କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସ ଅବସରରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ୮ଟି ଚିତା ଭାରତକୁ ଅଣାଯାଇଥିଲା । କୁନୋ ଜାତୀୟ ପାର୍କକୁ ମୋଟ ୨୦ଟି ଚିତା ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ୧୭ଟି ବୟସ୍କ ରହିଥିବା ବେଳେ ୩ଟି ଛୁଆ ରହିଛନ୍ତି । ଗତ ଏପ୍ରିଲ ମାସ ୨୩ ତାରିଖରେ ୬ ବର୍ଷୀୟ ‘ଉଦୟ’ ମୃତ୍ୟୁ କରିଥିବା ବେଳେ ମାର୍ଚ୍ଚ ମାସ ୨୭ ତାରିଖରେ ମାଈ ଚିତା ‘ଶାଶା’ ମୃତ୍ୟୁବରଣ କରିଥିଲା । ଏହାପରେ ଗତ ୯ ତାରିଖରେ ପୁଣି ଏକ ମାଈ ଚିତା ‘ଦକ୍ଷା’ ମୃତ୍ୟୁବରଣ କରିଥିଲା ।

ଗତ ୨୩ ତାରିଖରେ ଆଉ ଏକ ଛୁଆ ଚିତାର ମୃତ୍ୟୁ ଘଟିଥିଲା । ଛୁଆଟି ଅତ୍ୟନ୍ତ ଦୁର୍ବଳ ହୋଇଥିବା ଟିମର ସଦସ୍ୟମାନେ ଦେଖିଥିଲେ । ଏହାପରେ ଡାକ୍ତରମାନେ ତାକୁ ହସ୍ପିଟାଲକୁ ନେଇ ଚକିତ୍ସା କରାଇଥିଲେ । ମାତ୍ର ୫-୧୦ ମିନିଟ ପରେ ଛୁଆଟି ମୃତ୍ୟୁବରଣ କରିଥିଲା । ଫ୍ରାନ୍ସରୁ ଆସିଥିବା ଜ୍ୱାଳା ଚିତା ୪ଟି ଶାବକଙ୍କୁ ଜନ୍ମ ଦେଇଥିଲା । ଅତ୍ୟଧିକ ଦୁର୍ବଳତା କାରଣରୁ ଛୁଆଟିର ମୃତ୍ୟୁ ହୋଇଥିବା କୁହାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ତଥ୍ୟ ଜଣାଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଗତ ଦୁଇ ମାସ ମାସରେ ଦେଶରେ ୪ଟି ଚିତାଙ୍କର ମୃତ୍ୟୁ ଘଟିବା ଏବେ ଚିନ୍ତା ବଢ଼ାଇ ଦେଇଛି । କ’ଣ ପାଇଁ ଭାରତରେ ଗୋଟିଏ ପରେ ଗୋଟିଏ ଚିତା ପ୍ରାଣ ହରାଉଛନ୍ତି । ଚିତା ‘ଉଦୟ’ର ମୃତ୍ୟୁ ପରେ ଗତ ମାସରେ ନାମିବିଆର ବୈଜ୍ଞାନିକଙ୍କ ପକ୍ଷରୁ ଏକ ରିପୋର୍ଟ ଆସିଥିଲା । ବୈଜ୍ଞାନିକଙ୍କ ମତରେ, ସ୍ଥାନର ଅଭାବ ହେତୁ ଆଗାମୀ ଦିନରେ ଚିତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ଭାରତ ସରକାରଙ୍କ ପ୍ରୋଜେକ୍ଟ ଚିତାକୁ ବୈଜ୍ଞାନିକମାନେ ସଠିକ୍ ବୋଲି କହିଥିଲେ । ମାତ୍ର ପାର୍କରେ ଆବଶ୍ୟକତାଠାରୁ ଅଧିକ ଚିତାଙ୍କୁ ଛଡ଼ା ଯାଇଥିବା ନେଇ ଚିନ୍ତା ପ୍ରକଟ କରିଥିଲେ । ଚିତାଙ୍କର ବିଚରଣ ନେଇ ପର୍ଯ୍ୟାପ୍ତ ସ୍ଥାନର ଅଭାବ ରହିଥିବା କୁହାଯାଇଥିଲା ।

ଭାରତର ସ୍ଥିତି ଦକ୍ଷିଣ ଆଫ୍ରିକାଠାରୁ ବହୁତ ଅଲଗା ରହିଛି । ସେଠାରେ ଚିତାଙ୍କ ପାଇଁ ବଡ଼ ବଡ଼ ସ୍ଥାନ ରହିଛି । ସେଠାରେ ୧୦୦ ବର୍ଗ କିମି ଅଞ୍ଚଳରେ ଏକରୁ ମଧ୍ୟ କମ୍ ଚିତା ରହୁଛନ୍ତି । ତେଣୁ ଏପରି ସ୍ଥିତିରେ ଅତିକମରେ ୧୨ଟି ଚିତାଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ଦରକାର । କୁନୋରେ କେତେ ସ୍ଥାନ ରହିଛି ସେନେଇ କିଛି ତଥ୍ୟ ଜଣାପଡ଼ି ନାହିଁ । ଯଦି କୁନୋରେ ଶାକାହାରୀ ମାତ୍ରାକୁ ବଢ଼ାଯାଇ ପାରିବ ତେବେ ସେଠାରେ ଅଧିକ ଚିତା ରହିପାରିବେ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଥିଲା ।