fbpx

ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଦା ହେବେ ୪ ମନ୍ତ୍ରୀ! ଏବେଠାରୁ ଆରମ୍ଭ ହେଲାଣି ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପରେ ଏବେ ରାଜ୍ୟର ପାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ମନ୍ତ୍ରିମଣ୍ଡଳର କିଛି ପୁରୁଣା ଚେହେରାଙ୍କୁ ବିଦା କରି ନୂଆ ମୁହଁଙ୍କୁ ସ୍ଥାନ ଦେଇ ସରପ୍ରାଇଜ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ରାଜ୍ୟ ମନ୍ତ୍ରିମଣ୍ଡଳର ୪ ଜଣ ମନ୍ତ୍ରୀ ବିଦା ହୋଇପାରନ୍ତି ବୋଲି କୁହାଯାଉଛି ।

ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ରଥଯାତ୍ରା ପରେ ହେବ ବୋଲି କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ସମାପ୍ତ ହୋଇଯାଇଥିବା ବେଳେ ବର୍ତ୍ତମାନ ନବୀନ ନିବାସ ଉପରେ ସମସ୍ତ ନେତାଙ୍କ ନଜର । ତେବେ ଏହାରି ଭିତରେ ନବୀନଙ୍କ ନୂଆ ଟିମ୍ ପାଇଁ ନକ୍ସା ପ୍ରସ୍ତୁତ ସରିଛି । ଜଣେ କି ଦୁଇଜଣ ନୁହେଁ, ଏକାଧିକ ମନ୍ତ୍ରୀ ନବୀନଙ୍କ ଟିମରୁ ବାଦ୍ ପଡ଼ିବାର ସମ୍ଭାବନା ରହିଛି । ନବ, ତୁଷାର, ରଣେନ୍ଦ୍ର ଓ ପଦ୍ମନାଭଙ୍କ ଭଳି ଏକାଧିକ ମନ୍ତ୍ରୀ ନିଜର ପଦ ହରାଇ ପାରନ୍ତି ବୋଲି କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହୁଏତ ସୁପ୍ରିମୋ ନିଜର ଷ୍ଟ୍ରାଟେଜି ଚେଞ୍ଜ କରି ଏମାନଙ୍କୁ ପଦୋନ୍ନତି ଦେଇପାରନ୍ତି! ନବୀନଙ୍କ ଘୋଷଣା ପୂର୍ବରୁ କିଛି ବି ପରଫେକ୍ଟ ଭାବେ କହି ହେବନି ।

ତେବେ କେନ୍ଦ୍ରରେ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ହର୍ଷ ବର୍ଦ୍ଧନଙ୍କୁ ମୋଦୀ କୋଭିଡ୍ କାରଣରୁ ହଟାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନୁରୂପ ଭାବେ ନବୀନ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହଟାଇପାରନ୍ତି ବା ପଦୋନ୍ନତି ଦେଇପାରନ୍ତି, ତାହା ତାଙ୍କର ଇଚ୍ଛାଧୀନ ବ୍ୟାପାର । ଧାନ ମଣ୍ଡିକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିବାଦ ମଧ୍ୟରେ ରହିଛନ୍ତି । ସେହିପରି ମନ୍ତ୍ରୀ ପଦ୍ମନାଭ ବେହେରା ଓ ତୁଷାରକାନ୍ତି ବେହେରା ନିଜ ବିଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରିନାହାନ୍ତି ବୋଲି କୁହାଯାଉଛି ।  ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା ଓ ମାହାଙ୍ଗା ତ୍ରିପଲ ମର୍ଡର କେସକୁ ନେଇ ସ୍ଥାନୀୟ ମନ୍ତ୍ରୀମାନେ ବିବାଦ ଘେରରେ ରହିଥିଲେ ମଧ୍ୟ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ସୁପ୍ରିମୋ ନେବେ । ମନ୍ତ୍ରିମଣ୍ଡଳର ଯେଉଁ ମନ୍ତ୍ରୀମାନଙ୍କ ନାମରେ ଅଭିଯୋଗ ରହିଛି, ସେମାନେ ମନ୍ତ୍ରିମଣ୍ଡଳରୁ ବିଦାହେବା ଥୟ । ତେବେ ବିଜେଡି ସୁପ୍ରିମୋଙ୍କର ପରିବର୍ତ୍ତନର ଆଭାସକୁ ନେଇ ବର୍ତ୍ତମାନ ଦଳୀୟ ନେତାଙ୍କ ମନରେ ଏବେଠୁ ଛନକା ପଶିଗଲାଣି । ଅପାରଗ ମନ୍ତ୍ରୀମାନେ ଏବେଠାରୁ ପ୍ରମାଣ ଗଣିବା ଆରମ୍ଭ କରିଦେଲେଣି । ଯେଉଁ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ରହିନାହିଁ, ସେମାନଙ୍କୁ ମନ୍ତ୍ରୀପଦରୁ ବିଦା କଲେ ଦଳ ଉପରେ ତା’ର କି ପ୍ରଭାବ ପଡ଼ିବ, ସେନେଇ ତର୍ଜମା ଚାଲିଛି । ଏପରିକି ବାଚସ୍ପତି, ଉପବାଚସ୍ପତି ଓ ଦଳର ମୁଖ୍ୟ ସଚେତକ ମଧ୍ୟ ପରିବର୍ତ୍ତନ ହେବାର ଶୁଣାଯାଉଛି ।

ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ୨୦୧୭ରେ ମଧ୍ୟ ସୁଚିନ୍ତିତ ରଣନୀତି ଆପଣାଇ ନିର୍ବାଚନରେ ସଫଳତା ହାସଲ କରିଥିଲା । ୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ପରିବର୍ତ୍ତନ ବେଶ୍ ଗୁରୁତ୍ୱ ରଖୁଛି । ବିଜେଡିର ତୃଣମୂଳ ସ୍ତରର ସଂଗଠନକୁ ଦୃଢ଼ କରିବା ହେଉଛି ଏହି ପରିବର୍ତ୍ତନ ପଛର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ଦକ୍ଷ ତଥା ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ଦଳକୁ ଆହୁରି ଶକ୍ତିଶାଳୀ କରାଯିବ । ନିକଟରେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଏଥିରେ ଅନେକ କ୍ଷମତାଶାଳୀ ନେତାଙ୍କୁ ବାଦ୍ ଦିଆଯାଇଛି । ନିର୍ବାଚନ, ଦଳୀୟ ସଂଗଠନକୁ ଦୃଷ୍ଟିରେ ରଖି ନବୀନ କି ନିଷ୍ପତ୍ତି ନେଉଛନ୍ତି, ତାହା ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.