fbpx

ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣାରେ ଚିହ୍ନଟ ହେଲା ଚତୁର୍ଥ ଅଭିଯୁକ୍ତ

ନୂଆଦିଲ୍ଲୀ: ଗତକାଲି ପବିତ୍ର ଦଶହରା ଅବସରରେ ଅଚାନକ ଅଶାନ୍ତ ହୋଇଉଠିଥିଲା ମହାରାଷ୍ଟ୍ର । ବାବା ସିଦ୍ଦିକୀଙ୍କ ପରି ଜଣେ ବରିଷ୍ଠ ରାଜନେତାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରିନଥିଲେ । ହତ୍ୟାକାଣ୍ଡ ପରେ ଗତକାଲି ପୋଲିସ ୩ ଜଣଙ୍କୁ ହେପାଜତକୁ ନେଇଥିବା ବେଳେ ଆଜି ୩ ଜଣ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଥିଲା । ତେବେ ଏହା ମଧ୍ୟରେ ଚତୁର୍ଥ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଛି । ଏହି ମାମଲାରେ ତ୍ୱରିତ ଭାବେ ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

ତେବେ ପୂର୍ବତନ ମନ୍ତ୍ରୀ ସିଦ୍ଦିକୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଚତୁର୍ଥ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଗୁରମେଲ ସିଂହ ଓ ଧର୍ମରାଜ କଶ୍ୟପ ନାମକ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଥିବା ବେଳେ ଶିବା କୁମାର ଓ ମହମ୍ମଦ ଜଶୀ ଅଖତର ନାମକ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ମୁମ୍ବାଇ ପୋଲିସ ୧୦ ଜଣିଆ ଟିମ୍ ଗଠନ କରିଛି । ମାଜିଷ୍ଟ୍ରେଟ କୋର୍ଟ ଗୁରମେଲ ସିଂହକୁ ଆସନ୍ତା ୨୧ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି । ଅନ୍ୟପକ୍ଷରେ ନିଜକୁ ନାବାଳକ କହୁଥିବା ଧର୍ମରାଜ କଶ୍ୟପର ପ୍ରକୃତ ବୟସ ଜାଣିବା ପାଇଁ ତା’ର ବୋନ ଓସିଫିକେସନ ଟେଷ୍ଟ କରାଯିବ । ଏହାକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ରାଜନୀତିରେ ସିଦ୍ଦିକୀ ଜଣେ ବରିଷ୍ଠ ରାଜନେତା ଭାବେ ବେଶ୍ ପରିଚିତ ଥିଲେ । ତେଣୁ ତାଙ୍କର ହତ୍ୟା ପରେ ଏବେ ତାଙ୍କ ବାସଭବନକୁ ରାଜନେତା ଓ ଫିଲ୍ମ ତାରକାଙ୍କ ସୁଅ ଛୁଟିଛି । ସିଦ୍ଦିକୀ ଗତ ଫେବୃଆରୀ ମାସରେ କଂଗ୍ରେସ ଛାଡ଼ି ଏନସିପିରେ ସାମିଲ ହୋଇଥିଲେ । ସେ ୨୮ ବର୍ଷ ଧରି କଂଗ୍ରେସ ସହ ରହିଥିଲେ । ସେ ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମଭ କରି ପ୍ରଥମ ଥର ବିଏମସି କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୯୯, ୨୦୦୪ ଓ ୨୦୦୯ରେ ବାନ୍ଦ୍ରା ୱେଷ୍ଟ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ । ସେ ବାନ୍ଦା ପଶ୍ଚିମ ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହିତ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରହିଥିଲେ ।

Get real time updates directly on you device, subscribe now.