fbpx

ରାଜ୍ୟର ବିଭିନ୍ନ କୋର୍ଟରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କୋର୍ଟରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟ ଏବଂ ତାଲୁକ ସ୍ତରରେ ଏହି ଲୋକ ଅଦାଲତ ଆୟୋଜନ ହୋଇଥିଲା । ବିଚାରପତି ଓ ବରିଷ୍ଠ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ବିଭିନ୍ନ ଅଦାଲତରେ ପାରିବାରିକ ମାମଲା, କୋର୍ଟରେ ପଡ଼ି ରହିଥିବା ମାମଲା ଓ ମୋଟର ଦୁର୍ଘଟଣା ଜନିତ ଆଦି ବିଭିନ୍ନ କିସମର ମାମଲାର ଆପୋଷ ସମାଧାନ କରିଥିଲେ ।

ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୭ ଜଣ ବିଚାରପତି, ପୃଥକ ପୃଥକ ୭ଟି କୋର୍ଟରେ ୧୧୯ଟି ମାମଲାର ଶୁଣାଣି କରି ଫଇସଲା କରିଥିଲେ । କ୍ଷତିପୂରଣ ବାବଦକୁ ୭ କୋଟି ୫୨ ଲକ୍ଷ ୧୯ ହଜାର ଟଙ୍କା ଆଦାୟ କରିବାକୁ ଆଜି ହାଇକୋର୍ଟ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଥିଲା । ଉଭୟ ଆଭାସୀ ଓ ପ୍ରତ୍ୟକ୍ଷ ଜରିଆରେ ମାମଲା ଗୁଡ଼ିକର ଶୁଣାଣି ହୋଇଥିଲା । ଆଜି ଲୋକ ଅଦାଲତରେ ପ୍ରାୟ ୧ ଲକ୍ଷରୁ ଅଧିକ ମାମଲା ତାଲିକାଭୁକ୍ତ ହୋଇଥିବା କଟକସ୍ଥିତ ରାଜ୍ୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନୟାଗଡ଼ ଜିଲ୍ଲା ଦୌରାଜଜ୍‍ ଆନନ୍ଦ ନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ୯ଟି ମୋଟର ଦୁର୍ଘଟଣା ଜନିତ ମାମଲା, ୫୭ଟି ଦେୱାନୀ ମାମଲା, ୪୮ଟି ପ୍ରାକ୍‍ ବିଦ୍ୟୁତ ମାମଲା ଓ ଫଇସଲା କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲା ଦୌରାଜଜ୍‍ ଅଧ୍ୟକ୍ଷ ଦୀପ୍ତିରଞ୍ଜନ କାନୁନ୍‍ଗୋଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୧ ହଜାର ୨୧୫ଟି ମାମଲାର ଫଇସଲା କରାଯାଇଛି । ୨୨ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧୫ ଲକ୍ଷ ୨୨ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୯ଟି ଦେୱାନୀ ମୋକଦ୍ଦମା ଫଇସଲା କରାଯାଇ ୧୪ ଲକ୍ଷ ୪୬ ହଜାର ଟଙ୍କା ସମାଧାନ କରାଯାଇଥିଲା ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ୍‍ଙ୍କ କୋର୍ଟ ପରିସରରେ ଅନୁଷ୍ଠିତ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍‍ ପ୍ରଣବ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ୧୩୮ଟି ମାମଲାର ତ୍ୱରିତ ସମାଧାନ କରାଯାଇଥିଲା । ଏ ବାବଦରେ ୨୫ ଲକ୍ଷ ୨୪ ହଜାର ୫୯୫ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।

Get real time updates directly on you device, subscribe now.