fbpx

ସିନେ ଜଗତରୁ ରାଜନୀତି, ସବୁଠି ଜଲୱା… ନିର୍ବାଚନରେ ବିଜୟ ହାସଲ କଲେ ଏହି ସେଲିବ୍ରିଟି

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଲୋକସଭା ଆସନରେ ବିଜେପିକୁ ବହୁମତ ମିଳିଛି । ତେଣୁ ପୁଣିଥରେ ଦେଶରେ ବିଜେପି ସରକାର ଗଠନ ହେବାକୁ ପ୍ରସ୍ତୁତ ହେଉଛି । ତେବେ ଏହି ନିର୍ବାଚନରେ ବିଭିନ୍ନ ରଜନୈତିକ ଦଳରୁ ସିନେ ଜଗତର ସୁପରଷ୍ଟାର ମଧ୍ୟ ବିଜୟଧ୍ୱଜା ଉଡ଼ାଇଛନ୍ତି । ଐତିହାସିକ ଧାରାବାହିକ ‘ରାମାୟଣ’ର ରାମ, ଅରୁଣ ଗୋଭିଲଙ୍କ ଠରୁ ଆରମ୍ଭ କରି କଙ୍ଗନା ରଣାୱତ ରାଜନୀତି ଦୁନିଆରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ଆସନ୍ତୁ ନଜର ପକାଇବା ନିର୍ବାଚନରେ କେଉଁ ସେଲିବ୍ରିଟି ବିଜୟ ହାସଲ କରିଛନ୍ତି ।

କଙ୍ଗନା ରଣାୱତ: ବଲୁଡ କୁଇନ୍ କଙ୍ଗନା ରଣାୱତ ୨୦୨୪ ନିର୍ବାଚନରେ ବିଜେପିର ହାତ ଧରି ଡେବ୍ୟୁ କରିଥିଲେ । ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳରୁ ଟିକେଟ ପାଇ ସେ ବିକ୍ରମାଦିତ୍ୟ ସିଂହଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଥିଲେ । ତେବେଏହି ନିର୍ବାଚନରେ କଙ୍ଗନା ମୋଟ ୭୪,୭୫୫ ଭୋଟରେ ବିଜୟୀ ହୋଇରେକର୍ଡ ସୃଷ୍ଟି କରିଛନ୍ତି ।

ମନୋଜ ତିୱାରୀ: ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ନାୟକ, ଗାୟକ ତଥା ରାଜନେତା ମନୋଜ ତିୱାରୀ ପୁଣିଥରେ ବ୍ଲକବଷ୍ଟର ବିଜୟ ହାସଲ କରିଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭାରୁ ୧,୩୮,୭୭୮ ଭୋଟରେ କଂଗ୍ରେସର କହ୍ନେୟା କୁମାରଙ୍କ ବିପକ୍ଷରେ ବିଜୟୀ ହୋଇଛନ୍ତି ମନୋଜ । ଲୋକସଭା ଆସନରୁ ଏହା ତିୱାରୀଙ୍କ ତୃତୀୟ କାର୍ୟ୍ୟକାଳ ହେବ।

ଶତ୍ରୁଘ୍ନ ସିହ୍ନା: ପଶ୍ଚିମବଙ୍ଗରେ ପୁଣିଥରେ ଶତ୍ରୁଘ୍ନ ସିହ୍ନା ଏକ ବଡ଼ ବିଜୟ ହାସଲ କରିଛନ୍ତି । ଆସନସୋଲ ସିଟରୁ ତୃଣମୂଳ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢି ୫୯,୫୬୪ ଭୋଟରେ ବିଜୟଲାଭ କରିଛନ୍ତି ଭେଟେରାନ୍ ଆକ୍ଟର ଶତ୍ରୁଘ୍ନ ସିହ୍ନା । ଏହି ନିର୍ବାଚନରେ ସେ ବିଜେପିର ସୁରେନ୍ଦ୍ରଜିତ ସିଂହ ଆହୁଲୱାଲିଆଙ୍କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।

ହେମା ମାଳିନୀ: ବଲିଉଡ ସିନେମାର ଭେଟେରାନ୍ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ନିର୍ବାଚନରେ ବିଜେପିର ସାରଥୀ ସାଜି ବିଜୟଲାଭ କରିଛନ୍ତି । ମଥୁରାରୁ କଂଗ୍ରେସ ପ୍ରାର୍ଥୀ ମୁକେଶଢଙ୍ଗରଙ୍କୁ ୨,୯୩,୪୦୭ ଭୋଟରେ ପରାସ୍ତ କରି ତୃତୀୟ ଥର ପାଇଁ ଲୋକସଭା ଆସନ ଦାଖଲ କରିଛନ୍ତି ଡ୍ରିମ ଗାର୍ଲ ହେମା ।

ଅରୁଣ ଗୋଭିଲ: ଐତିହାସିକ ଧାରାବାହିକ ‘ରାମାୟଣ’ର ରାମ ଚରିତ୍ରରେ ଅଭିନୟ କରିଥିବା ଅୁଣ ଗୋଭିଲ ମଧ୍ୟ ବିଜେପି ପାଇଁ ବିଜୟ ଭେଟି ଦେଇଛନ୍ତି । ମେରଠରେ ବିଜେପିର ମଙ୍ଗ ଧରି ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁନୀତା ବର୍ମାଙ୍କୁ ୧୦,୫୮୫ ଭୋଟରେ ପରାସ୍ତ କରିଛନ୍ତି ଅରୁଣ ।

ରବି କିଶାନ୍: ଭୋଜପୁରୀ ଅଭିନେତା ରବି କିଶାନ୍ ମଧ୍ୟ ବିଜେପି ପାଇଁ ବିଜୟର ସୂତ୍ରଧର ସାଜିଛନ୍ତି । ଗୋରଖପୁରରୁ ବିଜେପି ଟିକେଟରେ ଲଢି ସମାଜବାଦ ପାର୍ଟିର କାଜଲ ନିସାଦଙ୍କୁ ୧,୦୩,୫୨୬ ଭୋଟରେ ମାତ୍ ଦେଇଛନ୍ତି ରବି । ଗତ ୨୦୧୯ ନିର୍ବାଚନରେ ମଧ୍ୟ ରବି କିଶାନ୍ ଏହି ଆସନରୁ ୩,୦୧,୬୬୪ ଭୋଟରେ ବିଜୟଲାଭ କରିଥିଲେ ।

ଦେବ ଅଧିକାରୀ: ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଦୁଇ ଅଭିନେତା ଦେବ ଅଧିକାରୀ (ଟିଏମସି) ଏବଂ ହିରନ ଚାଟାର୍ଜୀ (ବିଜେପି) ଘାଟ ଲୋକସଭା ନିର୍ବାଚନମଣ୍ଡଳୀରେ ପରସ୍ପର ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ତୃଣମୂଳ କଂଗ୍ରେସ ତରଫରୁ ଟିକେଟ ପାଇଥିବା ଦେବ ଅଧିକାରୀ ୧,୮୨,୮୬୮ ଭୋଟ୍ ସହିତ ବିଜୟ ସୁନିଶ୍ଚିତ କରିଛନ୍ତି ।

ରଚନା ବାନାର୍ଜୀ: ଓଡ଼ିଆ, ବଙ୍ଗଳା ଏବଂ ହିନ୍ଦୀ ସିନେମାରେ ଖୁବ ଲୋକପ୍ରିୟତା ରଚନାଙ୍କୁ ନିର୍ବାଚନ ଲଢେଇରେ ବେଶ୍ ସହାୟକ ହୋଇଛି । ତୃଣମୂଳ କଂଗ୍ରେସ ରଚନାଙ୍କୁ ହୁଗୁଳୀ ଲୋକସଭା ଆସନରେ ପ୍ରାର୍ଥୀ ଭାବରେ ସୁଯୋଗ ଦେଇଥିଲା, ଯାହାର ଫାଇଦା ଉଠାଇଛନ୍ତି ସୁପରଷ୍ଟାର ରଚନା । ବିଜେପି ପ୍ରାର୍ଥୀ ଲକେଟ ଚାଟାର୍ଜୀଙ୍କୁ ୬୦,୦୦୦ ଭୋଟରେ ପଛରେ ପକାଇ ଏହି ଆସନ ଉପରେ ସେ ଅକ୍ତିଆର କରିଛନ୍ତି ।

ଜୁନି ମାଲିଆ: ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବରେ ଏଥର ନିର୍ବାଚନରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଜୁନି ମାଲିଆ । ସିନେ ଜଗତ ପରେ ରାଜନୀତି ଦୁନିଆରେ ମଧ୍ୟ ସେ ଦମଦାର ଡେବ୍ୟୁ କରିଛନ୍ତି । ଜୁନି ମାଲିଆ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପାଲଙ୍କ ବିରୋଧରେ ୨୭,୧୯୧ ଭୋଟରେ ଜିତିଛନ୍ତି।

ଶତାବ୍ଦୀ ରାୟ: ୧,୯୭,୬୫୦ ଭୋଟରେ ବିଜେପିର ଦେବତନୁ ଭଟ୍ଟାଚାର୍ୟ୍ୟଙ୍କୁ ପରାସ୍ତ କରି ତୃଣମୂଳ କଂଗ୍ରେସର (ଟିଏମସି) ଶତାବ୍ଦୀ ରାୟ ବୀରଭୂମୀ ଆସନରେ ବିଜୟଲାଭ କରିଛନ୍ତି । ଅଭିନେତା-ରାଜନେତା ଶତାବ୍ଦୀ ରାୟଙ୍କ ବିରୋଧରେ ମାତ୍ର ଦେବତନୁ ଭଟ୍ଟାଚାର୍ୟ୍ୟଙ୍କୁ ୫,୨୦,୩୧୧ ଭୋଟ୍ ମିଳିଥିବା ବେଳେ ତାଙ୍କ ବିରୋଧରେ ଶତାବ୍ଦୀ ୭,୧୭,୯୬୧ ପାଇଛନ୍ତି । ସାଂସଦ ଭାବରେ ଏହା ତାଙ୍କର ଚତୁର୍ଥ କାର୍ୟ୍ୟକାଳ ହେବ।

ସୁରେଶ ଗୋପୀ: ଅଭିନେତା ତଥା ରାଜନେତା ସୁରେଶ ଗୋପୀ ମଙ୍ଗଳବାର ଦିନ କେରଳରୁ ବିଜେପି ତରଫରୁ ପ୍ରଥମ ସାଂସଦ ଭାଭବରେ ନିର୍ବାଚିତ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଥ୍ରିସୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଏହି ଅଭିନେତା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବାମପନ୍ଥୀ ପ୍ରାର୍ଥୀ ଭି ଏସ୍ ସୁନୀଲ କୁମାରଙ୍କ ବିପକ୍ଷରେ ୭୪,୬୮୬ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

Get real time updates directly on you device, subscribe now.