fbpx

ଏହି ତାରିଖରେ ବଜାରରୁ ଗାଏବ ହୋଇଯିବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ: ପ୍ରଦୂଷଣ ରୋକିବାକୁ CPCBର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଇୟରବଡ୍, ହେଡ ଫୋନ ଇତ୍ୟାଦି ଉପରେ ଲାଗିବ ବ୍ୟାନ । ଆଉ ଆଗକୁ ବ୍ୟବହାର କରି ହେବନି ୱାୟାରଲେସ ହେଡଫୋନ କିମ୍ବା ଏମିତି କିଛି ଗ୍ୟାଜେଟ । ଦେଶରେ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ନେଇଛି ଏମିତି ଏକ ବଡ ନିଷ୍ପତ୍ତି । ଜୁନ ଶେଷ ପୂର୍ବରୁ ଏହା ଉପରେ ବ୍ୟାନ ଲଗାଇବା ପାଇଁ ନୋଟିସ ଜାରି କରାଯାଇଛି ।

କେନ୍ଦ୍ରିୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ତରଫରୁ ଇୟରବଡ୍ ସହିତ ଅନ୍ୟାନ୍ୟ ପ୍ଲାଷ୍ଟିକ ଉତ୍ପାଦ ଦ୍ରବ୍ୟ ଗୁଡିକ ଉପରେ ବ୍ୟାନ ଲଗାଇବା ପାଇଁ ନୋଟିସ ଜାରି କରିଛନ୍ତି । ଏଥି ପାଇଁ ପ୍ଲାଷ୍ଟିକର ଉତ୍ପାଦନ, ବିକ୍ରି ଏବଂ ବ୍ୟବହାର ହେଉଥିବା ସମସ୍ତ କ୍ଷେତ୍ରକୁ ନୋଟିସ ଦେଇଛନ୍ତି ସିପିସିବି । ଏଥି ସହିତ ଜୁନ ୩୦ ତାରିଖ ପୂର୍ବରୁ ବ୍ୟାନ କରିବାର ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ଲାଷ୍ଟିକଜାତ ଦ୍ରବ୍ୟ ଦୀର୍ଘ ସମୟ ଧରି ପ୍ରକୃତିର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ । ଏହାକୁ ନଜରରେ ରଖି ପ୍ଲାଷ୍ଟିକ ଉପରେ ରୋକ ଲଗାଇବା ପାଇଁ ୨୦୨୧ରେ ସୂଚନା ଜାରି କରିଥିଲେ କେନ୍ଦ୍ରିୟ ପର୍ଯ୍ୟାବରଣ ମନ୍ତ୍ରୀ । ଏଥିରେ ଜୁଲାଇ ପହିଲାରୁ ଏ ସମସ୍ତ ଜିନିଷ ଉପରେ ରୋକ ଲଗାଇବା ପାଇଁ କୁହାଯାଇଥିଲା । ତେଣୁ ସିପିସିବି ଦ୍ୱାରା ସମସ୍ତ ପକ୍ଷଙ୍କୁ ୩୦ ଜୁନ ପୂର୍ବରୁ ପ୍ରସ୍ତୁତି ଶେଷ କରିବା ପାଇଁ ନୋଟିସ ଦିଆଯାଇଛି ।

ସିପିସିବିଙ୍କ ନୋଟିସ ଅନୁଯାୟୀ, ପ୍ଲାଷ୍ଟିକ ଇୟରବଡ୍, ବେଲୁନର ପ୍ଲାଷ୍ଟିକ ପାଇପ, ପ୍ଲାଷ୍ଟିକରୁ ତିଆରି ପତାକା, ଆଇସକ୍ରିମ କାଠି ଇତ୍ୟାଦିକୁ ବନ୍ଦ କରିବା ପାଇଁ କୁହାଯାଇଛି । ସେହିପରି ପ୍ଲାଷ୍ଟିକ କପ, ପ୍ଲେଟ, ଗ୍ଲାସ, ଚାମଚ, ପ୍ଲାଷ୍ଟିକରେ ନିର୍ମିତ ନିମନ୍ତ୍ରଣ ପତ୍ର ସମେତ ୧୦୦ ମାଇକ୍ରୋନ ମୋଟେଇର ପ୍ଲାଷ୍ଟିକ ମଧ୍ୟ ବ୍ୟାନ ହେବ ।

ନମାନିଲେ କଣ ହେବ ଦଣ୍ଡ: ଏହି ଆଇନ ଅମାନ୍ୟ କଲେ କଡା କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ପ୍ରାଥମିକ ଭାବରେ ସିପିସିବି ନୋଟିସ ସହିତ ଆର୍ଥିକ ଜରିମାନା ମଧ୍ୟ ପ୍ରଦାନ କରାଯିବ । ଏହା ସହିତ ପ୍ଲାଷ୍ଟିକ ଉତ୍ପାଦ ଗୁଡିକୁ ସିଜ ମଧ୍ୟ କରାଯିବ ।
ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସହଜରେ ବିଘଟିତ ହେଉନଥିବା ବେଳେ ଏହା ପୁନଃ ବ୍ୟବହାରଯୋଗ୍ୟ ମଧ୍ୟ ନୁହେଁ ।

ଏହାର ନାନୋ କଣିକା ଗୁଡିକ ମାଟି ଓ ପାଣିକୁ ସହଜରେ ପ୍ରଦୂଷିତ କରିଥାଏ ।
ଜଳରେ ବସବାସ କରୁଥିବା ସମସ୍ତ ଜୀବଜନ୍ତୁ ପ୍ରଭାବିତ ହେଉଥିବା ବେଳେ ନାଳ ଓ ପାଇପ୍ ଗୁଡିକ ମଧ୍ୟ ଚୋକ ହୋଇଥାଏ ।

ସିପିସିବି ପକ୍ଷରୁ ଏହି ନୂଆ ନିୟମ କଡାକଡି ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଡେଡଲାଇନ ପୂର୍ବରୁ ସମସ୍ତ ଷ୍ଟକ୍ ଶେଷ କରିବା ପାଇଁ ନୋଟିସ ଯୋଗେ ସୂଚାଇ ଦିଆଯାଇଛି । ବିଭିନ୍ନ ଷ୍ଟକିଷ୍ଟ, ଇ କମର୍ସ କମ୍ପାନୀ, ରାସ୍ତା କଡର ଦୋକାନୀ, ସିନେମା ହଲ, ଶପିଂ ସେଣ୍ଟରକୁ ଏହି ନୋଟିସ ପ୍ରଦାନ କରାଯାଇଛି । ୩୦ ଜୁନ ସୁଦ୍ଧା ମହଜୁଦ ଥିବା ସମସ୍ତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.