fbpx

ଗଜରାଜ୍ୟ ଆଜି ଗଜଶୂନ୍ୟ! ୧୨ ବର୍ଷରେ ୯୫୪ଟି ହାତୀଙ୍କ ମୃତ୍ୟୁ: ଆଜି ହେଉଛି ବିଶ୍ୱ ହାତୀ ଦିବସ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖଟିକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ପରିବେଶ ସନ୍ତୁଳନରେ ଏହି ବୃହତ୍ ବନ୍ୟ ପ୍ରାଣୀଟି ପ୍ରମୁଖ ଭୂମିକା ନେଇଥାଏ । କିନ୍ତୁ ମନୁଷ୍ୟକୃତ ଏକାଧିକ କାରଣ ପାଇଁ ଏମାନଙ୍କ ବଂଶ ବିପଦରେ ।ହାତୀ ମଣିଷ ଭିତରେ ଲଢ଼େଇ ଦେଖିବାକୁ ମିଳୁଛି । ଉଭୟଙ୍କ ଜୀବନ ହାନୀ ହେଉଛି । ପ୍ରତିଦିନ ହାତୀ ମୃତ୍ୟୁର ଘଟଣା ଖବରକାଗଜରେ ବାହାରୁଛି । ଏକ ରିପୋର୍ଟରୁ ଜଣାପଡିଛି, ୨୦୧୯ରୁ ୨୦୨୨ ମଧ୍ୟରେ ଆମ ରାଜ୍ୟରେ ମୋଟ ୨୪୫ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଢ଼େଙ୍କାନାଳ ଜିଲ୍ଲାରେ ସର୍ବାଧିକ ୩୬ଟି ହାତୀର ମୃତ୍ୟୁ ହୋଇଛି ।

ଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ସମୁଦାୟ ୯୫୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୫ଟି ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍.ଟି.ଏଫ୍) ଦ୍ୱାରା ୨୦୨୦-୨୦୨୨ ଏହି ତିନିବର୍ଷରେ ଜନ୍ତୁ ତସ୍କରମାନଙ୍କ ପାଖରୁ ୨୮ଟି ହାତୀ ଦାନ୍ତ ଜବତ କରିଥିବାର ଜଣାପଡିଛି । ଏଭଳି ପରିସ୍ଥିତିରେ ହାତୀ ସୁରକ୍ଷା ଓ ସଂରକ୍ଷଣ ନିତାନ୍ତ ଜରୁରୀ ହୋଇପଡିଛି । ଯାହାକୁ ନେଇ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ବିଶ୍ୱ ହସ୍ତୀ ଦିବସ ପାଳନ ଅବସରରେ ଚିନ୍ତା ପ୍ରକଟ କରିବା ସହ ହାତୀଙ୍କ ସୁରକ୍ଷା ଲାଗି ରଙ୍ଗ, ତୂଳୀରେ ଚିତ୍ର ଆଙ୍କି ସାରା ବିଶ୍ୱକୁ ଦେଇଛନ୍ତି ଜନସଚେତନତାର ବଳିଷ୍ଠ ବାର୍ତ୍ତା । ଚିତ୍ରରେ ଦର୍ଶାଇଛନ୍ତି ହୃଦୟର ସହ ହାତୀକୁ ଭଲ ପାଆନ୍ତୁ। ହାତୀ ଆମର ଶତ୍ରୁ ନୁହେଁ, ହାତୀ ଆମର ସାଥୀ । ପ୍ରାଚୀନ କାଳରୁ ଆମ ସନାତନ ସଂସ୍କୃତିରେ ଗଜ ସଂସ୍କୃତିର ସ୍ୱତନ୍ତ୍ର ସ୍ଥାନ ରହିଛି । ଇତିହାସରୁ ଜଣାପଡେ କଳିଙ୍ଗ ରାଜାଙ୍କ ବିଶାଳ ହସ୍ତୀବାହିନୀ ଥିଲା । ପୁରୀର ଠାକୁର ରାଜାଙ୍କୁ ଗଜପତି ବୋଲି ଆମେ କହିଥାଉ । ଓଡ଼ିଶାର ଐତିହ୍ୟ ସମ୍ପନ୍ନ ମନ୍ଦିର ଗୁଡ଼ିକରେ ହାତୀର ଅବସ୍ଥିତି କେତେ ଥିଲା ତାହା ବେଶ୍ ଜଣାପଡ଼ିଥାଏ ।

ଦେଖିବାକୁ ଗଲେ ଗଜରାଜ୍ୟ ଆଜି ଗଜଶୂନ୍ୟ ହେବାରେ ଲାଗିଛି । ବିନାଶ ମୁହଁରେ ଥିବା ହାତୀର ବଂଶକୁ କେବଳ ମଣିଷ ହିଁ ରକ୍ଷା କରିପାରିବ । ଐତିହ୍ୟ ପ୍ରାଣୀ ହାତୀ ପ୍ରତି ସହାନୁଭୂତି ଦେଖାଇବା ଓ ସେମାନଙ୍କ ସଂରକ୍ଷଣ ଓ ସୁରକ୍ଷା ଦେବା ମାନବ ଜାତିର କର୍ତ୍ତବ୍ୟ । ଏଥିନିମନ୍ତେ ବ୍ୟାପକ ଜନସଚେତନତା ସହ ଜନ୍ତୁ ତସ୍କରମାନଙ୍କ ପ୍ରତି କଠୋର ଆଇନ୍ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ଶାନ୍ତନୁ ଏହି ପରିପ୍ରେକ୍ଷୀରେ କହିଛନ୍ତି ।

Get real time updates directly on you device, subscribe now.