fbpx

SL vs IND; ପ୍ରସ୍ତୁତ ହେଲା ଗମ୍ଭୀର ସେନା: ଶ୍ରୀଲଙ୍କା ସିରିଜରେ ଦୁଇ ପୁରୁଣା ସାଥୀ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଟିମରେ ଏବେ ବଡ଼ ପରିବର୍ତ୍ତନ ହୋଇଛି । ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍  ପଦରୁ ବିଦାୟ ନେବା ପରେ ଗୌତମ ଗମ୍ଭୀର ନୂଆ କୋଚ୍ ଭାବରେ ନିଯୁକ୍ତ ହୋଇଛନ୍ତି । ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି ଟି-୨୦ ଦଳର ନୂଆ ଅଧିନାୟକ ପଦ । ଏବେ କୋଚିଂ ଷ୍ଟାଫ ତାଲିକାରେ ଆଉ ଦୁଇଟି ନାମ ସାମିଲ ହୋଇଛି । ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍ ଭାବରେ ୨ ଜଣଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ଉଭୟ ଖେଳାଳି ପୂର୍ବରୁ ଗମ୍ଭୀରଙ୍କ ସହ କାର୍ଯ୍ୟ କରି ସାରିଛନ୍ତି ।

ଆଜି ଭାରତୀୟ ଦଳର କୋଚ୍ ଭାବରେ ପ୍ରଥମ ପ୍ରେସ କନଫରେନ୍ସ କରିଛନ୍ତି ଗୌତମ ଗମ୍ଭୀର । ଏଥିରେ ଦଳର ୨ ଆସିଷ୍ଟାଣ୍ଟ କୋଚ୍ ପଦବୀକୁ ନେଇ ଗମ୍ଭୀର ବଡ଼ ଅପଡେଟ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଦଳରେ ଅଭିଷେକ ନାୟର ଏବଂ ରେୟାନ୍ ଟେନ ଡୋଶେଟ ଶ୍ରୀଲଙ୍କା ଗସ୍ତରେ ଆସିଷ୍ଟାଣ୍ଟ କୋଚ୍ ଭୂମିକାରେ ରହିବେ । ପୂର୍ବ ଭାରତୀୟ ଅଲରାଉଣ୍ଡର ସାଇରାଜ ବହୁତୁଲେ ଶ୍ରୀଲଙ୍କା ଗସ୍ତରେ ଅନ୍ତରୀଣ ବୋଲିୀଂ କୋଚ୍ ଦାୟିତ୍ୱ ତୁଲାଇବେ । ସେହିପରି ଟି. ଦିଲ୍ଲୀପ ଫିଲ୍ଡିଂ କୋଚ୍ ଭାବରେ ଦଳ ସହ ଶ୍ରୀଲଙ୍କା ଗସ୍ତରେ ରହିବେ । ଟି-୨୦ ବିଶ୍ୱକପ ବିଜୟୀ ଦଳରେ ମଧ୍ୟ ଫିଳ୍ଡିଂ କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

ତେବେ ବର୍ତ୍ତମାନ ପାଇଁ କୋଚିଂ ଷ୍ଟାଫ ଏହା ରହିଛି । କିନ୍ତୁ ଶ୍ରୀଲଙ୍କା ଗସ୍ତ ପରେ ଏହାର ଫାଇନାଲ ଘୋଷଣା କରାଯିବ । ଭାରତୀୟ ଦଳ ସହ ଗମ୍ଭୀର, ଅଭିଷେକ, ସାଇରାଜ ଏବଂ ଦିଲ୍ଲୀପ ଶ୍ରୀଲଙ୍କା ଗସ୍ତ କରିବେ ଏବଂ ରେୟାନ ଟେନ୍ ଡୋଶେଟ କଲମ୍ବୋରେ ଦଳ ସହ ସାମିଲ ହେବେ ବୋଲି କହିଛି ଭାରତୀୟ ଦଳର ମୁଖ୍ୟ କୋଚ୍ । ତେବେ ଅଭିଷେକ ଏବଂ ରେୟାନ୍ କୋଲକାତା ନାଇଟ ରାଇଡର୍ସ ପାଇଁ କୋଚ୍ ଭୂମିକାରେ ରହିଛନ୍ତି । ଅଭିଷେକ କୋଲକାତାର ଆସିଷ୍ଟାଣ୍ଟ କୋଚ୍ ରହିଥିବା ବେଳେ ଡୋଶେଟ ଫିଲ୍ଡିଂ କୋଚ୍ ରହିଥିଲେ ଏବଂ ଗମ୍ଭୀର କୋଲକାତା ନାଇଟ ରାଇଡର୍ସରେ ମେଣ୍ଟର ଭୂମିକାରେ ରହିଥିଲେ ।

Get real time updates directly on you device, subscribe now.