ବେଙ୍ଗାଲୁର:ପ୍ରଭୁ ଗଜାନନଙ୍କ ଧରାବତରଣକୁ ଆଉ ମାତ୍ର କିଛି ଘଣ୍ଟାର ସମୟ ବାକି । ଗଣପତିଙ୍କ ଆବାହନ ଲାଗି ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ଏହି କ୍ରମରେ କର୍ଣ୍ଣାଟକ ବେଙ୍ଗାଲୁରର ଜେପି ନଗର ସ୍ଥିତ ସତ୍ୟ ଗଣପତି ମନ୍ଦିର ପରିସରରୁ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଏହି ମନ୍ଦିରକୁ ଖାଲି ଟଙ୍କା ଓ ମୁଦ୍ରାରେ ସଜ୍ଜିତ କରାଯାଇଛି । ପ୍ରାୟ ଅଢେଇ କୋଟି ଟଙ୍କା ଓ ମୁଦ୍ରାରେ ଏହି ମନ୍ଦିରକୁ ସଜ୍ଜିତ କରାଯାଇଛି । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ବେଙ୍ଗାଲୁର ସହିତ ସମଗ୍ର କର୍ଣ୍ଣାଟକରେ ସୋମବାର ଗଣେଶ ଚତୁର୍ଥୀ ଉତ୍ସବ ଧାର୍ମିକ ଉତ୍ସାହର ସହ ଆରମ୍ଭ ହୋଇଯାଇଛି । ଶ୍ରଦ୍ଧାଳୁ ଭଗବାନ ଗଶେଶଙ୍କ ଆଶୀର୍ବାଦ ନେବା ପାଇଁ ମନ୍ଦିର ଓ ପେଣ୍ଡାଲ ଯାଉଛନ୍ତି । ତେବେ ନିଜର ଅଭିନବ ସାଜସଜ୍ଜା ଲାଗି ସତ୍ୟଗଣତି ମନ୍ଦିର ସମସ୍ତ ଶ୍ରଦ୍ଧାଳୁଙ୍କ ଧ୍ୟାନ ଆକର୍ଷିତ କରିଛି ।
ମନ୍ଦିରରେ ୫,୧୦ ଓ ୨୦ ଟଙ୍କିଆ ମୁଦ୍ରାରେ ମାଳା ପ୍ରସ୍ତୁତ କରାଯାଇଛି । ଏହା ବ୍ୟତିତ ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଟଙ୍କାରେ ବି ନୋଟ୍ର ମାଳା ତିଆରି କରାଯାଇଛି । ଏହି ସମସ୍ତ ମାଳା ପ୍ରାୟ ଅଢେଇ କୋଟି ଟଙ୍କା ମୂଲ୍ୟର । ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ଜଣାଯାଇଛି ପ୍ରାୟ ୧୫୦ ଜଣଙ୍କୁ ନେଇ ଗଠିତ ଏକ ଟିମ୍ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଲାଗି ମୁଦ୍ରା ଓ ନୋଟ୍ରେ ମାଳାରେ ମନ୍ଦିରକୁ ସଜାଇଛନ୍ତି । ଏଥିଲାଗି ସୁରକ୍ଷାର ବି ବ୍ୟାପକ ବ୍ୟବସ୍ଥା କରାଯାଇଛି ଓ ସିସିଟିଭି ମାଧ୍ୟମରେ ବି ନଜର ରଖାଯାଉଛି ।
ମୁଦ୍ରା ଗୁଡିକରେ ବେଶ୍ ଆକର୍ଷଣୀୟ କଳାତ୍ମକ ଚିତ୍ରଣ କରାଯାଇଛି । ଏଥିମଧ୍ୟରେ ରହିଛି ଭଗବାନ ଗଣେଶ, ଜୟ କର୍ଣ୍ଣାଟକ, ରାଷ୍ଟ୍ର ପ୍ରଥମ, ବିକ୍ରମ ଲ୍ୟାଣ୍ଡର, ଜୟ ଯବାନ ଜୟ କିଷାନ ପରି ଛବି । ଏହି ସାଜସଜ୍ଜା ଗୋଟିଏ ସପ୍ତାହ ଲାଗି ରହିବ ।