ଷ୍ଟକ ବଜାରରେ ହଇଚଇ: ଗୋଟିଏ ଦିନରେ ଦୁଇଗୁଣ ହେଲା ନିବେଶକଙ୍କ ଟଙ୍କା

ମୁମ୍ୱାଇ: ଶୁକ୍ରବାର ଷ୍ଟକ ବଜାର ପାଇଁ ଏକ ସ୍ୱତନ୍ତ୍ର ଦିନ ଥିଲା। ଏହି ଦିନ ସେନ୍ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ପାଇ ୮୧,୦୩୬.୨୨ରେ ଖୋଲିଥିବା ବେଳେ ୦.୧୪% ବୃଦ୍ଧି ସହ ୮୦,୯୫୬.୩୩ରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି-୫୦ ମଧ୍ୟ ୧୦.୩୦ ପଏଣ୍ଟ ବୃଦ୍ଧି ପାଇ ୨୪,୪୬୭.୪୫ରେ ବନ୍ଦ ହୋଇଛି। ଶୁକ୍ରବାର ବ୍ୟାଙ୍କିଙ୍ଗ ଷ୍ଟକ୍ ଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଲିଷ୍ଟିଂ ଦିନ ଗୋଟିଏ ଷ୍ଟକ ବଜାରରେ ହଇଚଇ ସୃଷ୍ଟି କରିଥିଲା। ଏହି ଷ୍ଟକ ଗୋଟିଏ ଦିନରେ ନିବେଶକମାନଙ୍କୁ ୯୯.୪୫ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଅର୍ଥାତ୍ ଗୋଟିଏ ଦିନରେ ନିବେଶକଙ୍କ ଟଙ୍କା ପ୍ରାୟ ଦ୍ୱିଗୁଣିତ ହୋଇଛି।

ଗଣେଶ ଇନଫ୍ରାୱାର୍ଲ୍ଡ ଲିମିଟେଡ୍ ଷ୍ଟକ୍। ଡିସେମ୍ବର ୬ ରେ ଏହି ଷ୍ଟକକୁ ଭାରତୀୟ ଷ୍ଟକ ବଜାରରେ ତାଲିକାଭୁକ୍ତ କରାଯାଇଥିଲା ଏବଂ ତାଲିକାଭୁକ୍ତ ହେବା ଦିନ ଷ୍ଟକ ଏହାର ଆଇପିଓ ଆବଣ୍ଟନ କରିଥିବା ନିବେଶକଙ୍କ ଟଙ୍କାକୁ ଦ୍ୱିଗୁଣିତ କରିଥିଲା। ଗଣେଶ ଇନଫ୍ରାୱାର୍ଲ୍ଡ ଲିମିଟେଡ୍ ନଭେମ୍ବର ୨୯ରେ ସସ୍‌କ୍ରିବସନ୍ ପାଇଁ ଖୋଲିଥିଲା ଏବଂ ଆଇପିଓ ପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୩ ଥିଲା। ୬ ଡିସେମ୍ବର ୨୦୨୪ରେ ଏହାକୁ ଭାରତୀୟ ଷ୍ଟକ ବଜାରରେ ତାଲିକାଭୁକ୍ତ କରାଯାଇଥିଲା।

ଗଣେଶ ଇନଫ୍ରାୱାର୍ଲ୍ଡ ଲିମିଟେଡର ଆଇପିଓ ପ୍ରଥମ ଦିନରେ ୧.୪୮ ଥର ସସ୍‌କ୍ରାଇବ୍‌ ହୋଇଥିଲା। ଖୁଚୁରା ବର୍ଗରେ, ଯେଉଁଠାରେ ଏହା ୨.୪୩ ଥର ସସ୍‌କ୍ରାଇବ୍‌ ହୋଇଥିଲା। ସେହିପରି ଏନଆଇଆଇ ବର୍ଗରେ ଏହାକୁ ୧.୨୪ ଥର ସସ୍‌କ୍ରାଇବ୍‌କରାଯାଇଥିଲା। ଆଇପିଓ ସମ୍ପୂର୍ଣ୍ଣ ଭାବେ ୧.୧୮ କୋଟି ସେୟାରର ଏକ ନୂତନ ଇସ୍ୟୁ ଥିଲା। ଯାହାର ମୂଲ୍ୟ ୯୮.୬ କୋଟି ଟଙ୍କା ଥିଲା।