‘ଗଙ୍ଗାଜଲ’ ଫିଲ୍ମର ପୁନରାବୃତ୍ତି: ସାଧା ପୋଷାକରେ ଯାଉଥିଲେ SP, ଠକ Inspector ଅଟକାଇ କହିଲା ପଇସା ଦେ, ଜାଣନ୍ତୁ ଏହା ପରର ଘଟଣା

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ପ୍ରକାଶ ଝା’ଙ୍କ ଫିଲ୍ମ ‘ଗଙ୍ଗାଜଲ’ରେ ଅଭିନେତା ଅଜୟ ଦେବଗନ ଏସପି ଭୂମିକାରେ ଆସିଥିଲେ । ଉକ୍ତ ଫିଲ୍ମରେ ଅଜୟ ବେଆଇନ ଭାବେ ବଟି ଆଦାୟ କରୁଥିବା ଜଣେ ପୋଲିସ ଇନ୍ସପେକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ତେବେ ବିହାରରେ ଏପରି ଏକ ଘଟଣାର ପୁନରାବୃତ୍ତି ଘଟିଛି । ଜଣେ ପୋଲିସ ଇନ୍ସପେକ୍ଟର ରାସ୍ତାରେ ସାଧାରଣ ଜନତାଙ୍କୁ ଅଟକାଇ ବଟି ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ଖୋଦ୍ ଏସପି ସାଧା ପୋଷାକରେ ବାଇକରେ ଉକ୍ତ ରାସ୍ତା ଦେଇ ଯାଇଥିଲେ । ଏହାପରେ ଏସପିଙ୍କୁ ଦେଖି ଠକ ପୋଲିସ ଅଧିକାରୀ କହିଥିଲା, ଗାଡ଼ି ରଖ, ପଇସା ଦେ ।

ପୋଲିସ ଅଧିକାରୀଙ୍କ ବଟି ଆଦାୟର ଷ୍ଟାଇଲ ଦେଖି ଏସପି ହତବାକ ହୋଇଯାଇଥିଲେ ଓ ସଙ୍ଗେସଙ୍ଗେ ସସପେଣ୍ଡ କରିଦେଇଥିଲେ । ଦାରୋଗା ରଣବୀର ପ୍ରସାଦର ଏହି କାରନାମା ବିଷୟରେ ଅନେକ ବ୍ୟକ୍ତି ଏସପି କାର୍ତ୍ତିକ ଶର୍ମା ନିକଟରେ ଅଭିଯୋଗ କରିଥିଲେ । ତେଣୁ ଏସପି ଠକ ଦାରୋଗାଙ୍କୁ ପାନେ ଦେବା ପାଇଁ ବିନା ୟୁନିଫର୍ମରେ ଏକ ସାଧାରଣ ବାଇକ ଚାଲାଇ ବାହାରିଥିଲେ । ତେବେ ଜଣାପଡ଼ିଛି ଯେ, ଏସପି ଶର୍ମା ନିକଟରେ ୮ ଜଣ ପୋଲିସଙ୍କୁ ସସପେଣ୍ଡ କରିସାରିଛନ୍ତି । ଦାରୋଗା ରଣବୀରଙ୍କୁ ସସପେଣ୍ଡ କରିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ଲେଖିଥିବା ଜଣାପଡ଼ିଛି ।